ସୁଲେମାନୀଙ୍କ ଶବ ଯାତ୍ରାରେ ଦଳାଚକଟା ୪୦ ମୃତ, ୪୮ ଆହତ

ତେହରାନ୍‌: ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ଇରାନ୍‌ର ଶୀର୍ଷ କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ଶବଯାତ୍ରାରେ ଆଜି ଦଳାଚକଟା ହୋଇ ୪୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୮ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଜେନେରାଲ କ୍ବାସିମ୍‌ଙ୍କ ମର ଶରୀର ତାଙ୍କ ନିଜ ସହର କେରମାନ୍‌ରେ ପହଞ୍ଚିବାପରେ ଶବଯାତ୍ରା ଆରମ୍ଭ ହୋଇଥିଲା। ସୁଲେମାନୀଙ୍କ ଶବଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ଏହି ସମୟରେ ଦଳାଚକଟା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସୁଲେମାନୀଙ୍କ ଶେଷଯାତ୍ରାରେ ଲୋକେ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା ପାଇଁ ସ୍ଲୋଗାନ ଦେବା ସହ ବ୍ୟାନର ପୋଷ୍ଟର ଧରିଥିବା ଦେଖାଯାଇଥିଲା। ଶବଯାତ୍ରାର ଶେଷ ପର୍ଯ୍ୟାୟରେ ଏକ ଛକରେ ବିଭିନ୍ନ ସଂଯୋଗ ରାସ୍ତାରୁ ହଜାର ହଜାର ଲୋକ ଏକାଥରକେ ପଶି ଆସିବାରୁ ଦଳା ଚକଟା ସ୍ଥିତି ଉପୁଜିଥିଲା। ଅନଲାଇନ୍‌ରେ ଏ ସଂକ୍ରାନ୍ତରେ ଜାରି ହୋଇଥିବା କିଛି ଭିଡିଓର ଦୃଶ୍ୟ ହୃଦୟବିଦାରକ। ଅନେକ ଲୋକ ଜୀବନ ବଞ୍ଚାଇବାପାଇଁ ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଗତକାଲି ମଧ୍ୟ ଇରାନ୍‌ ରାଜଧାନୀ ତେହରାନରେ କ୍ବାସିମ ସୁଲେମାନୀଙ୍କୁ ଅନ୍ତିମ ବିଦାୟ ଦେବାପାଇଁ ହୋଇଥିବା ଶୋଭାଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ହୋଇଥିବା ସୁଲେମାନୀଙ୍କ ହତ୍ୟା ପାଇଁ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଇରାନ୍‌ ମଧ୍ୟ ଆମେରିକା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିସାରିଥିବା ବେଳେ ଦୁଇ ଦୁଇ ଦେଶ ମଧ୍ୟରେ ସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ଇରାନ୍‌ ତା’ର ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିବା ସହ ମସ୍‌ଜିଦ୍‌ରେ ଲାଲ ପତାକା ଉଡ଼ାଇଛି।

ସମ୍ବନ୍ଧିତ ଖବର