ଦେଶରେ ୨୪ ଘଣ୍ଟାରେ ୪୦ ମୃତ, ୧୦୩୫ ଆକ୍ରାନ୍ତ

ମୋଟ ୭୪୪୭ ମାମଲା, ୨୩୯ ମୃତ, ୬୪୨ ଜଣ ସୁସ୍ଥ ହୋଇ ଫେରିଛନ୍ତି

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ୍‌ ଦ୍ରୃତ ଗତିରେ ବ୍ୟାପିବାରେ ଲାଗିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ କରୋନା ମହାମାରୀ ୪୦ ଜଣଙ୍କ ଜୀବନ ନେଇଥିବା ବେଳେ ମୋଟ ୧୦୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ମୋଟ ମାମଲା ୭୪୪୭ରେ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୨୩୯ ରହିଛି। ଅନ୍ୟପକ୍ଷରେ ୬୪୨ ଜଣ ବିଭିନ୍ନ ହସ୍ପିଟାଲରୁ ସଂକ୍ରମଣମୁକ୍ତ ହୋଇ ଫେରିଛନ୍ତି। ଆନ୍ଧ୍ର ପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୩୬୩ରେ ପହଞ୍ଚିଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୧୫୭୪ ମାମଲା ରୁଜୁ ହୋଇଛି ଏବଂ ୧ ହଜାରରୁ ଅଧିକ ମାମଲା ସହିତ ମୁମ୍ବାଇ ଦେଶର କରୋନା ହଟ୍‌ସ୍ପଟ ପାଲଟିଛି। ମହାରାଷ୍ଟ୍ରରେ ୧୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ୧୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଇନ୍ଦୋର ଏବେ କରୋନା ହଟ୍‌ସ୍ପଟ ପାଲଟିଯାଇଛି। ରାଜ୍ୟରେ ୪୩୫ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨ ଶହରୁ ଅଧିକ କେବଳ ଇନ୍ଦୋରରେ ଥିବା ଜଣାପଡ଼ିଛି। କେରଳରେ ଆଜି ସୁଦ୍ଧା ୩୬୪ ମାମଲା ଚିହ୍ନଟ ହୋଇଛି ଏବଂ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୧ରେ ପହଞ୍ଚିଛି ଏବଂ ଏଥିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ଏ ପର୍ଯ୍ୟନ୍ତ ୯୧୧ ମାମଲା ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ୪୪ ଜଣ ସୁସ୍ଥ ହୋଇଛନ୍ତି। ପଶ୍ଚିମ ବଂଗରେ ୧୧୬ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ଅନ୍ୟପକ୍ଷରେ ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୫୩୨ରେ ପହଞ୍ଚିଛି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀ ୯୦୩ ମାମଲା ସହ କରୋନା ହଟ୍‌ସ୍ପଟ ପାଲଟିଛି ଏବଂ ୪୦ରୁ ଅଧିକ ଅଂଚଳକୁ ଅବରୋଧ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଦିଲ୍ଲୀରେ ଏ ପର୍ଯ୍ୟନ୍ତ ୧୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗୁଜରାଟରେ କରୋନା ପଜଟିଭ୍‌ ମାମଲା ୩୦୮ରେ ପହଞ୍ଚିଥିବା ବେଳେ ବିହାରରେ ୬୦ ଛୁଇଁଛି।

କରୋନା ଯୋଦ୍ଧାଙ୍କ ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା
ଜୟପୁର: ଯେଉଁ ସରକାରୀ କର୍ମଚାରୀମାନେ କରୋନା ଭାଇରସ ସହ ସିଧାସଳଖ ଲଢେଇ କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି, ସେମାନଙ୍କ ପାଇଁ ରାଜସ୍ଥାନ ସରକାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ଭାଇରସ ସହ ମୁହାଁମୁହିଁ ହେଉଥିବା ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୋଇଗଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଠିକା ଭିତ୍ତିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ସହାୟତା ଲାଗୁ ହେବ। ମାତ୍ର ଯେଉଁମାନେ କେନ୍ଦ୍ର ସରକାରଙ୍କ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ସେମାନଙ୍କ ପାଇଁ ଏହା ଲାଗୁ ହେବନାହିଁ। ବିଶେଷକରି ପଟୱାରି, ଗ୍ରାମସେବକ, କନ୍‌ଷ୍ଟେବଳ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ, ହୋମ୍‌ଗାର୍ଡ, ଆଶା, ଅଙ୍ଗନୱାଡି କର୍ମୀମାନଙ୍କ ଭଳି ଠିକା କର୍ମଚାରୀମାନଙ୍କ ପରିବାର ଏହି ସହାୟତା ପାଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋଭିଡ-୧୯ ବିରୋଧରେ ଲଢେଇ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ଉଦ୍ଦେଶ୍ୟରେ ୫୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟବୀମା ସୁବିଧା ପାଉଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଏହି ଯୋଜନାରେ ବାଦ ଦିଆଯିବ। ରାଜସ୍ଥାନରେ ୫୫୩ ଜଣଙ୍କ ଶରୀରରେ କରୋନା ପିଜିଟିଭ ଚିହ୍ନଟ ହୋଇଛି। ଦେଶରେ କରୋନା ସଂକ୍ରମଣରେ ରାଜସ୍ଥାନ ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର