ହାଇଦ୍ରାବାଦ: ବିଶାଖାପାଟଣା ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ଟି ମାଛଧରା ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଏକାଧିକ ଦମକଳ ବାହିନୀ ସଂଘର୍ଷ କରିବାରୁ ଭାରତୀୟ ନୌସେନାର ଏକ ଜାହାଜକୁ ନିଆଁକୁ ଆୟତ୍ତ କରିବାକୁ ଆସିବାକୁ ପଡ଼ିଥିଲା। ନିଆଁଲାଗି ପୋଡ଼ି ଯାଇଥିବା ପ୍ରତ୍ୟେକ ଡଙ୍ଗାର ମୂଲ୍ୟ ପାଖାପାଖି ୧୫ ଲକ୍ଷ ଟଙ୍କା ହେବ ଏବଂ ପ୍ରତ୍ୟେକ ଡଙ୍ଗାରେ ପ୍ରାୟ ୫/୬ ଲକ୍ଷ ଟଙ୍କାର ମାଛ ଥିଲା। କ୍ଷୟକ୍ଷତିର ପରିମାଣ ୩୦ କୋଟି ଟଙ୍କାର ଅଧିକ ହେବ ବୋଲି ଆକଳନ କରାଯାଇଛି। ବିଶାଖାପାଟଣା ପୁଲିସ କମିସନର ରବିଶଙ୍କର କହିଛନ୍ତି ଯେ ବିଳମ୍ବିତ ରାତିରେ ଏକ ମାଛଧରା ଡଙ୍ଗାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯେପରି ଅନ୍ୟ ଡଙ୍ଗାକୁ ନ ବ୍ୟାପିବ ସେଥିପାଇଁ ଡଙ୍ଗାର ନଙ୍ଗର କାଟି ଏହାକୁ ଦୂରକୁ ପଠାଯାଇଥିଲା। କିନ୍ତୁ ପବନ ଓ ଜଳ ପ୍ରବାହ ଏହାକୁ ଜେଟିକୁ ଫେରାଇ ଆଣିଥିଲା। ଫଳରେ ଏହା ସଂସ୍ପର୍ଶରେ ଆସି ଅନ୍ୟ ଡଙ୍ଗାଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିଲା। ଡଙ୍ଗାରେ ଥିବା ଡିଜେଲ ଓ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯିବା ଯୋଗୁ ସମଗ୍ର ଜେଟି ଅଞ୍ଚଳ ଜଳି ଯାଇଥିଲା। ମତ୍ସ୍ୟଜୀବୀମାନେ ସନ୍ଦେହ କରୁଛନ୍ତି ଯେ କିଛି ଅପରାଧୀ ଡଙ୍ଗାରେ ନିଆଁ ଲଗାଇ ଦେଇଛନ୍ତି। ଗୋଟିଏ ଡଙ୍ଗାରେ ପାର୍ଟି କରିବା ଯୋଗୁ ନିଆଁ ଲାଗିଥିବା ମଧ୍ୟ ସନ୍ଦେହ କରାଯାଉଛି।

Advertisment

ପ୍ରାୟ ୪୦ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି ବୋଲି ବିଶାଖାପାଟଣାର ଡେପୁଟି ପୁଲିସ କମିସନର କେ ଆନନ୍ଦ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି। ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଏହାର କାରଣ ଜଣାପଡ଼ିନାହିଁ। ତିନି ଦିନ ତଳେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ମାଛଧରା ଡଙ୍ଗା ରବିବାର ସନ୍ଧ୍ୟାରେ ବନ୍ଦରକୁ ଫେରିଥିଲା। ମାଛ ଖଲାସ ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଆନ୍ଧ୍ରପ୍ରଦେଶ ଯାନ୍ତ୍ରିକ ଡଙ୍ଗା ମାଲିକ ସଂଘ ସଭାପତି ବାସୁପଲ୍ଲୀ ଜାନକୀରାମ କହିଛନ୍ତି। ପ୍ରତି ଡଙ୍ଗାରେ ୫ରୁ ୬ଲକ୍ଷ ଟଙ୍କା ମୂଲ୍ୟର ମାଛ ରହିଥିଲା ଏବଂ ସୋମବାରଠାରୁ ନିଲାମ ମାଧ୍ୟମରେ ଏହାକୁ ବିକ୍ରି କରାଯାଇଥାନ୍ତା।
ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ଏଥିରେ ପ୍ରାୟ ୩୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ସୌଭାଗ୍ୟବଶତଃ ସମସ୍ତ ମତ୍ସ୍ୟଜୀବୀ ରାତିରେ ଡଙ୍ଗାରୁ ଓହ୍ଲାଇ ନିଜ ଘରକୁ ଫେରିଯାଇଥିଲେ। ତେଣୁ ଏଥିରେ କେହି ମୃତାହତ ହୋଇନାହାନ୍ତି।