କରୋନା ଆତଙ୍କ: ଭାରତରେ ଆକ୍ରାନ୍ତ ସଂଖ୍ୟା ୪୦ ଛୁଇଁଲା

କେରଳରେ ଗୋଟିଏ ପରିବାରର ୫ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ମାମଲା ଦିନକୁ ଦିନ ବଢ଼ି ଚାଲିଛି। କେରଳରେ ଗୋଟିଏ ପରିବାରର ୫ ଜଣ ଭାଇରସ୍‌ ସଂକ୍ରମିତ ହୋଇଥିବା ଆଜି ସ୍ପଷ୍ଟ ହୋଇଥିବା ବେଳେ ତାମିଲନାଡ଼ୁରେ ମଧ୍ୟ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି କରୋନା ଭାଇରସ୍‌ ପୀଡ଼ିତ ସମସ୍ତ ୫ ଜଣଙ୍କୁ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ ଚିହ୍ନଟ କରିବା କାମ ତ୍ବରାନ୍ବିତ ହୋଇଛି। ଏହି ସମସ୍ତ ମାମଲା ପଥାନାମଥିଟ୍ଟା ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିକଟରେ ଇଟାଲିରୁ ଫେରିଥିଲେ। ଆଜି କେରଳ ଏବଂ ତାମିଲନାଡ଼ୁରେ ଅଧିକ ନୂଆ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଫେବ୍ରୁଆରି ୧୫ ପରଠାରୁ ଇଟାଲି ଯାତ୍ରରୁ ଫେରିଥିବା ସମସ୍ତଙ୍କୁ ଠାବ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ ଥିବା ୪୦ ଆକ୍ରାନ୍ତଙ୍କ ମଧ୍ୟରେ କେରଳର ୫ ଜଣ, ତାମିଲନାଡ଼ୁର ୨ ଜଣ, ଆଗ୍ରାର ୬ ଜଣ, ଦିଲ୍ଲୀର ୩ ଜଣ ଏବଂ ନଏଡ଼ା, ଗାଜିଆବାଦ ଏବଂ ତେଲେଙ୍ଗାନାର ଜଣେ ଲେଖାଏଁ ଅଛନ୍ତି। ଅନ୍ୟମାନେ ଇଟାଲି ନାଗରିକ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତି ଉପରେ ଅହରହ ନଜର ରଖିଛନ୍ତି ଏବଂ ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପର ପ୍ରତ୍ୟହ ସମୀକ୍ଷା କରୁଛନ୍ତି।

ତାମିଲନାଡ଼ୁରେ ୨ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସହ ସଂପର୍କରେ ଆସିଥିବା ୪୦ରୁ ଅଧିକ ଲୋକଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ୧୦୮୬ ଜଣଙ୍କୁ ସେମାନଙ୍କ ଘରେ ହିଁ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି । ଗତକାଲି ଜମ୍ମୁ କଶ୍ମୀରରେ କରୋନା ଭାଇରସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଅମୃତସରରେ ମଧ୍ୟ ୨ ଜଣ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ପ୍ରାଥମିକ ଯାଞ୍ଚରେ ଏହି ୨ ଜଣଙ୍କୁ କରୋନା ହୋଇଥିବା ରିପୋର୍ଟ ଆସିଥିଲେ ମଧ୍ୟ ଏବେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ୬ ସପ୍ତାହ ମଧ୍ୟରେ ବିଦେଶ ଗସ୍ତରୁ ଆସିଛନ୍ତି ସେମାନେ ତୁରନ୍ତ ସରକାରଙ୍କୁ ରିପୋର୍ଟ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି କେରଳ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦିଲ୍ଲୀକୁ ସଂକ୍ରମଣମୁକ୍ତ ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର