ଦିଲ୍ଲୀ ବସ୍‌ରେ ଥିଲେ ୪୦ ଜଣ; ସ୍କୁଲ୍‌ ପିଲାଏ ବି. କମ୍‌ ଛାତ୍ରଙ୍କୁ ଛୁରି ମାରିବାବଳେ କେହି ବାହାରିଲେ ନାହିଁ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରେ ଲୋକଭିଡ଼ ଥିବା ଗୋଟାଏ ବସ୍‌ରେ ପାଞ୍ଚଜଣ ସ୍କୁଲ୍‌ ପିଲା ଜଣେ ବି. କମ୍‌ ଛାତ୍ରଙ୍କୁ ଛୁରି ମାରି ହତ୍ୟା କରିଛନ୍ତି। ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ କେହି ସେମାନଙ୍କୁ ଅଟକାଇ ଥିଲେ ସେ ରକ୍ଷା ପାଇ ଯାଇଥାଆନ୍ତେ। ଏ କଥା କହୁଛନ୍ତି ନିହତ ୧୭ ବର୍ଷିୟ ମହମ୍ମଦ ଅନାସ୍‌ଙ୍କ ପରିବାର ଲୋକେ।

ଅନାସ୍‌ ଫରିଦାବାଦ୍‌ର ଅଲ୍‌-ଫଲାହ୍‌ ବିଶ୍ୱବିଦ୍ୟାଳୟରେ ବି. କମ୍‌ ପଢ଼ନ୍ତି। ଗତକାଲି ୟୁନିଫର୍ମ ପିନ୍ଧିଥିବା ପାଞ୍ଚ ଜଣ ସ୍କୁଲ୍‌ ପିଲା ଚଳନ୍ତା ବସ୍‌ରେ ତାଙ୍କର ତଣ୍ଟି କାଟି ହତ୍ୟା କରିଥିଲେ। ପିଲାମାନେ ତାଙ୍କର ମୋବାଇଲ୍‌ ଚୋରାଇ ନେଇଛନ୍ତି ବୋଲି ଭାବି ଅନାସ୍‌ ସେମାନଙ୍କୁ ପଚରା ପଚରି କରିଥିଲା। ଫଳରେ ସେମାନଙ୍କ ସହ ତାଙ୍କର କଜିଆ ହୋଇଥିଲା।

ବସ୍‌ କଣ୍ଡକ୍ଟର୍‌ ଜୟ ଭଗବାନ କହନ୍ତି ଯେ ହତ୍ୟାକାଣ୍ଡ ସମୟରେ ବସ୍‌ରେ ଅତି କମ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ତାଙ୍କ ସମେତ କେହି ଜଣେ ହେଲେ ତାଙ୍କୁ ଅଟକାଇବାକୁ ଆଗେଇ ଗଲେ ନାହିଁ।

Image Courtesy of HT

ଅନାସ୍‌ର ଦାଦା ମୁଜିବ୍‌ ଅହମ୍ମଦ କହନ୍ତି: କେବଳ ଜଣେ ଯାତ୍ରୀ ବାହାରି ଥିଲେ ଢେର୍‌ ହୋଇ ଥାଆନ୍ତା। ତା’ଦ୍ୱାରା ଅନ୍ୟ ଯାତ୍ରୀମାନେ ପିଲାମାନଙ୍କୁ ଆକଟ କରିବାକୁ ସାହସ ପାଇଥାଆନ୍ତେ। କିନ୍ତୁ, ସେ ବସ୍‌ରେ କେହି ଜଣେ ସାହସୀ ଲୋକ ନ ଥିଲେ।

ଅନାସ୍‌ଙ୍କ ବାପା ଭୋଲୁ ଖାଁ କହନ୍ତି, କୌଣସି ଯାତ୍ରୀ ଅନାସ୍‌ଙ୍କୁ ଡାକ୍ତରୀ ସହାୟତା ଦେଲେ ନାହିଁ କି, ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଲେ ନାହିଁ। ସେଥିପାଇଁ ପିସିଆର୍‌ ଭ୍ୟାନ୍‌ ଆସିବା ପରେ ହିଁ ଅନାସଙ୍କୁ ଡାକ୍ତରଖାନା ନିଆ ଗଲା। କଣ୍ଡକ୍ଟର୍‌ଙ୍କ ସିଟ୍‌ ପାଖରେ ଏ ଭଳି ଘଟଣା ଘଟିଥିଲେ ମଧ୍ୟ ସେ ଏହାକୁ ଅଟକାଇବାକୁ ବାହାରି ଆସିଲେ ନାହିଁ କାହିଁକି?

କଣ୍ଡକ୍ଟର୍‌ କହନ୍ତି, ଘଟଣା ଏଡ଼େ ଶୀଘ୍ର ଘଟିଗଲା ଯେ ସେ ପ୍ରତିବାଦ କରିବାକୁ ସମୟ ପାଇଲା ନାହିଁ। ରାସ୍ତାରେ ଯାନବାହାନ ଭିଡ଼ ଥିବାରୁ ବସ୍‌ ଧୀରେ ଧୀରେ ଚାଲୁଥିଲା। ଏଇ ମୌକାରେ ସେ ପିଲାମାନେ ବସ୍‌ର ଦୁଇଟି ଡୋର୍‌ ବାଟେ ଖସି ପଳାଇଲେ।

ହତ୍ୟାକାଣ୍ଡ ବା ଆକ୍ରମଣ ଘଟୁଥିବା ବେଳେ ଦିଲ୍ଲୀବାସୀମାନେ ଚୁପ୍‌ ରହିବା ଘଟଣା ଏଇଟା ପ୍ରଥମ ନୁହେଁ। କେହି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ବେଳେ ମଧ୍ୟ ଦିଲ୍ଲୀବାସୀ ନିରବ ରହନ୍ତି।

Image courtesy of HT

ଦିଲ୍ଲୀ ପୁଲିସର ମୁଖ୍ୟ ମୁଖପାତ୍ର ଦେପେନ୍ଦ୍ର ପାଠକ କହନ୍ତି, ଦିଲ୍ଲୀ ଭଳି ବଡ଼ ବଡ଼ ସହରଗୁଡ଼ିକରେ ଲୋକମାନେ ଏ ଭଳି ଆଚରଣ କରନ୍ତି। ଛେଟ ସହର ଅଥବା ଗାଁ ଗଣ୍ଡାରେ ଲୋକମାନଙ୍କର ଅତି କମ୍‌ ଲୋକଙ୍କର ଏ ଭଳି ମନୋବୃତ୍ତି ଥାଏ। ଅଚିହ୍ନା ଲୋକ ଏବଂ ବିବାଦର କାରଣ ଜାଣି ନ ଥିବାରୁ ଲୋକେ ପ୍ରତିବାଦ କରିବାକୁ ବାହାରନ୍ତି ନାହିଁ। କାଳେ କୌଣସି ଅସୁବିଧାରେ ପଡ଼ିଯିବେ, ଏଇ ଡରରେ ସେମାନେ ସାଧାରଣ ମାନବିକ କର୍ତ୍ତବ୍ୟ କରିବାକୁ ଭୟ କରନ୍ତି।

ଅନାସ୍‌ଙ୍କୁ ହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ସେ ପାଞ୍ଚଜଣ ପିଲା ସେଦିନ ସ୍କୁଲ୍‌ ବଙ୍କ୍‌ କରି ମଜାରେ ବିଭିନ୍ନ ବସ୍‌ରେ ଚଢ଼ି ବୁଲାବୁଲି କରୁଥିଲେ ବୋଲି ଜଣାପଡ଼ିଛି।

Image Courtesy of HT

ଆଶ୍ରମ ଚୌକ୍‌କୁ ଯିବା ଆଗରୁ ସେମାନେ ମଦନପୁର କାଦରରେ ଥିବା ଏକ ପାର୍କରେ ଠୁଳ ହୋଇଥିଲେ। ଅନାସ୍‌ଙ୍କୁ ହତ୍ୟା କରିବା ପରେ ସେମାନେ ପୁଣି ବସ୍‌ ଚଢ଼ି ବଦରପୁର ଆଡ଼କୁ ଯାଇଥିଲେ ବୋଲି ପୁଲିସ କହୁଛି।

ଛାତ୍ରମାନେ ଲୋକଙ୍କୁ ଆକ୍ରମଣ କରିବା ମାମଲା ଏ ପର୍ଯ୍ୟନ୍ତ ଦୃଷ୍ଟିକୁ ଆସିନାହିଁ। ସେମାନେ ବାଳୁଙ୍ଗା ସ୍ୱଭାବର ବୋଲି ପୁଲିସ କହୁଛି।
ପିଲାମାନେ ଦକ୍ଷିଣ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ବୋଲି ୟୁନିଫର୍ମ ଏବଂ ମୋବାଇଲ୍‌ ଫୋନ୍‌ର ଇଲେକ୍‌ଟ୍ରୋନିକ୍‌ ସର୍ଭିଲାନ୍‌ସ୍‌ରୁ ଜଣାପଡୁଥିବା କଥା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର