୪୦ ପ୍ରତିଶତ ଭାରତୀୟ ଡିଜିଟାଲ୍‌ରେ ଅର୍ଥ ସ୍ଥାନାନ୍ତର କରୁଛନ୍ତି: ନିଲେକାନି

ନୂଆଦିଲ୍ଲୀ : ଭାରତୀୟମାନଙ୍କର ଆର୍ଥିକ କାରବାର ସଂପର୍କିତ ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଡିଜିଟାଲ ମାଧ୍ୟମରେ ସେମାନେ ଅଧିକ ଅର୍ଥ ସ୍ଥାନାନ୍ତର କରୁଛନ୍ତି। ୟୁପିଆଇ ଏବଂ ଆଧାର ସମର୍ଥିତ ପେମେଣ୍ଟ ବ୍ୟବସ୍ଥା ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ପାଖାପାଖି ୪୦ କୋଟି ଲୋକ ଡିଜିଟାଲ ପ୍ରଯୁକ୍ତି ଜରିଆରେ ଅର୍ଥ ସ୍ଥାନାନ୍ତର କରୁଛନ୍ତି ବୋଲି ଆଇଟି କମ୍ପାନି ଇନଫୋସିସ୍‌ର ସହ ପ୍ରତିଷ୍ଠାତା ତଥା ୟୁଆଇଡିଏଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ନନ୍ଦନ ନିଲେକାନି ଏହା କହିଛନ୍ତି।

ଦେଶରେ ପାଖାପାଖି ୪୦ରୁ ୫୦ ପ୍ରତିଶତ ଲୋକ ଡିଜିଟାଲ ମାଧ୍ୟମର ବ୍ୟବହାର କରୁଛନ୍ତି। ୧୦ ବର୍ଷ ପୂର୍ବେ ଏହା ଶୂନ ପ୍ରତିଶତ ରହିଥିଲା। ଗ୍ରାହକଙ୍କ ବ୍ୟବହାରରେ ଏହା ଏକ ନାଟକୀୟ ପରିବର୍ତ୍ତନ ବୋଲି ବୁଧବାର ବେଙ୍ଗାଲୁରୁଠାରେ ଦ ଇଣ୍ଡିଆ ଆଡଭାଣ୍ଟେଜ୍ ସମିଟ୍ ୨୦୨୨ରେ ଉଦ୍‌ବୋଧନ ଦେଇ ନିଲେକାନି ଏହା କହିଛନ୍ତି। ପାଖାପାଖି ୨୬ କୋଟି ଲୋକ ୟୁପିଆଇ ବ୍ୟବହାର କରୁଥିବାବେଳେ ୧୫ କୋଟି ଲୋକ ଆଧାର ଦ୍ବାରା ପରିଚାଳିତ ପେମେଣ୍ଟ୍ ବ୍ୟବସ୍ଥାକୁ ଉପଯୋଗ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଛନ୍ତି। ଲୋକମାନେ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଡିଜିଟାଲ ମାଧ୍ୟମର ଉପଯୋଗ କରି କାରବାର କରିଲେ ରିହାତି ପାଇପାରିବେ। ୧୦୦ କୋଟି ଲୋକ ଏବଂ ୨ କୋଟି ବ୍ୟାବସାୟିକ ପ୍ରତିଷ୍ଠାନ ସେମାନଙ୍କ ନିଜସ୍ବ ଡାଟା ବ୍ୟବହାର କରିପାରିବେ। ନିଜସ୍ବ ଡାଟା ବ୍ୟବହାର କରିବା କ୍ଷମତାକୁ ଡାଟା ସଶକ୍ତୀକରଣ କୁହାଯାଉଛି ବୋଲି ନିଲେକାନି କହିଛନ୍ତି। ୟୁପିଆଇରେ ଯେଭଳି ଅର୍ଥ ପ୍ରଦାନ କରାଯାଇ ପାରୁଛି ସେହିଭଳି ଏକ ମୁକ୍ତ ଋଣ ପ୍ରଦାନ ସବୁଧା ଥିବା ନେଟୱର୍କ (ଓସିଏଏନ)ର ବିକାଶ କରିବା ଲାଗି ଆଇଏସପିଆଇଆରଟି (ଇଣ୍ଡିଆନ ସଫ୍ଟୱେର ପ୍ରଡକ୍ଟସ ଇଣ୍ଡଷ୍ଟ୍ରି ରାଉଣ୍ଡ ଟେବୁଲ) କାର୍ଯ୍ୟ କରୁଛି। ଏହାଦ୍ବାରା ସହଜରେ ଋଣ ସମସ୍ତେ ପାଇପାରିବେ ।

ସମ୍ବନ୍ଧିତ ଖବର