ଚୀନ୍ ପ୍ରାଥମିକ ବିଦ୍ୟାଳୟରେ ୪୦ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଛୁରାମାଡ଼

ନୂଆଦିଲ୍ଲୀ: ଚୀନ୍‌ର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ସିକ୍ୟୁରିଟି ଗାର୍ଡ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଛୁରାମାଡ଼ କରିଥିବା କଥା ଗୁରୁବାର ଦିନ ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ଏକ ସଂକ୍ଷିପ୍ତ ରିପୋର୍ଟରେ ରାଷ୍ଟ୍ରାୟତ ଖବରକାଗଜ ‘ଚାଇନା ଡେଲି’ କହିଛି ଯେ ଗୁଆଙ୍ଗ୍‌ଜି ପ୍ରଦେଶରେ ଥିବା ଏକ ବିଦ୍ୟାଳୟରେ ଏହି ଘଟଣାଟି ଘଟିଛି।

Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୮: ୩୦ ମିନିଟ୍ ସମୟରେ ଦକ୍ଷିଣ ଚୀନ୍‌ର ଗୁଆଙ୍ଗଜି ସୁଆଙ୍ଗ୍ ସ୍ବୟଂଶାସିତ ଅଞ୍ଚଳରେ ଥିବା ୱାଙ୍ଗ୍‌ଫୁ ସହରରେ ଥିବା ୱାଙ୍ଗ୍‌ଫୁ କଣ୍ଟ୍ରି ସେଣ୍ଟର୍‌ ପ୍ରାଇମେରି ସ୍କୁଲ୍‌ରେ ଏହି ଆକ୍ରମଣ ସଂଗଠିତ ହୋଇଥିଲା। ସ୍କୁଲ୍‌ରେ କୌଣସି ଦିବସ ପାଳନ ପାଇଁ ପିଲାମାନେ ଏକତ୍ର ହୋଇଥିବା ବେଳେ ଆକ୍ରମଣକାରୀ ୫୦ ବର୍ଷିୟ ସିକ୍ୟୁରିଟି ଗାର୍ଡ ଲି ଜିଆଓମିନ୍ ଛୁରୀ ନେଇ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

ଏହି ଆକ୍ରମଣରେ ସ୍କୁଲ୍‌ର ପ୍ରିନ୍‌ସିପାଲ୍ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। କେଉଁ କାରଣରୁ ଏ ଭଳି ଆକ୍ରମଣ କରାଯାଇଛି, ତାହା ହଠାତ୍ ଜଣାପଡ଼ିନାହିଁ। ସନ୍ଦିଗ୍ଧ ଲି’ଙ୍କୁ ଗିରଫ କରାଯାଇଛି। ଆହତମାନଙ୍କୁ ଡାକ୍ତରଖାନା ଆଣିବାକୁ ଅନ୍ୟୂନ ଆଠଟି ଆମ୍ବୁଲାନ୍‌ସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଆକ୍ରମଣରେ ଅନ୍ୟୂନ ଦୁଇଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ, ଅଳ୍ପ କେତେ ବର୍ଷ ହେବ ଚୀନ୍‌ର ବିଭିନ୍ନ ପ୍ରାନ୍ତରେ ଅସନ୍ତୁଷ୍ଟ ଲୋକେ ଛୁରା ଆକ୍ରମଣ କରୁଛନ୍ତି। ରାଗ ସାରିବାକୁ, ସାଧାରଣ ପରିବହନ ବ୍ୟତିରେକେ, ଆକ୍ରମଣକାରୀମାନେ ମୁଖ୍ୟତଃ କିଣ୍ଡର୍‌ଗାର୍ଟେନ୍ ଏବଂ ପ୍ରାଥମିକ ବିଦ୍ୟାଳୟକୁ ଟାର୍ଗେଟ୍ କରୁଛନ୍ତି।

ସମ୍ବନ୍ଧିତ ଖବର