ପ୍ଲେ ସ୍କୁଲରେ ଥିବା ସୁରକ୍ଷାକର୍ମୀଙ୍କ ଛୁରାମାଡରେ ୩୦ରୁ ଅଧିକ ଶିଶୁ ଆହତ

ବେଜିଂ: ଚୀନର ଗୁଆନଞ୍ଜି ପ୍ରାନ୍ତରେ ଥିବା ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି । ଜଣେ ଦୁର୍ବୃତ୍ତର ଛୁରାମାଡ଼ରେ ୩୦ରୁ ଊର୍ଧ୍ୱ ଶିଶୁ ଆହତ ହୋଇଛନ୍ତି।

ସୂଚନାନୁସାରେ, ଗୁଆନଞ୍ଜି ଅଞ୍ଚଳରେ ଥିବା ଏକ ପ୍ଲେ ସ୍କୁଲକୁ ସବୁଦିନ ଭଳି ଗୁରୁବାର ମଧ୍ୟ ଛୋଟପିଲାମାନେ ପଢ଼ିବାକୁ ଆସିଥିଲେ। ତେବେ ସ୍କୁଲରେ ଥିବା ଜଣେ ସୁରକ୍ଷାକର୍ମୀ ହଠାତ ଶିଶୁମାନଙ୍କ ଉପରେ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ସୁରକ୍ଷାକର୍ମୀ ଛୋଟପିଲାଙ୍କ ଉପରେ ଛୁରାମାଡ଼ କରିଥିଲେ। ଏହି ଛୁରାମାଡରେ ୩୦ରୁ ଊର୍ଧ୍ୱ ଶିଶୁ ଆହତ ହୋଇଛନ୍ତି। ପ୍ଲେ ସ୍କୁଲରେ ଥିବା କର୍ମଚାରୀ ଏଭଳି କାଣ୍ଡ ଦେଖି ସୁରକ୍ଷାକର୍ମୀଙ୍କ କବଳରୁ ଶିଶୁମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଦୁଇଜଣ ଏଥିରେ ଆହତ ମଧ୍ୟ ହୋଇଛନ୍ତି।

ସ୍ଥାନୀୟ ପ୍ରଶାସନର କହିବାନୁସାରେ ଆହତଙ୍କ ମଧ୍ୟରେ ୩୭ଜଣ ଶିଶୁ ରହିଥିବା ବେଳେ ୨ଜଣ ପ୍ଲେ ସ୍କୁଲ କର୍ମଚାରୀ ରହିଛନ୍ତି। ତେବେ ସୁରକ୍ଷାକର୍ମଚାରୀ ଜଣକ ଅନେକ ଦିନ ହେବ ଏହି ପ୍ଲେ ସ୍କୁଲରେ ନିୟୋଜିତ ଥିଲେ ହେଁ ଆଜି ହଠାତ କାହିଁକି ଏଭଳି କାଣ୍ଡ ଘଟାଇଥିଲେ ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିଲା। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର