୪୦ ସୁଖୋଇରେ ବ୍ରହ୍ମୋସ୍‌ ଖଞ୍ଜାଯିବ ଶତ୍ରୁଙ୍କୁ ଟକ୍କର ଦେବ ବାୟୁସେନା

ନୂଆଦିଲ୍ଲୀ: ଚୀନ୍‌ ଓ ପାକିସ୍ତାନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ନିଜର କ୍ଷମତା ବୃଦ୍ଧି କରିବା ପାଇଁ ଆଉ ପାଦେ ଆଗେଇଛି। ବିଶ୍ୱର ସବୁଠୁ ଦ୍ରୁତଗତିରେ ଯାଉଥିବା ସୁପରସୋନିକ କ୍ରୁଜ୍‌ ଲଢ଼ୁଆ ବିମାନ ସୁଖୋଇରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଖଞ୍ଜିବାର କାର୍ଯ୍ୟ ବାୟୁସେନା ଆରମ୍ଭ କରିସାରିଛି। ୨୦୨୦ ସୁଦ୍ଧା ଦେଶର ୪୦ଟି ସୁଖୋଇ ଯୁଦ୍ଧ ବିମାନରେ ଆକାଶ ମାର୍ଗରୁ ଆକ୍ରମଣ କରିବା ଭଳି କ୍ଷମତା ରଖିଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଖଞ୍ଜାଯିବ। ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ହେଁ ହିନ୍ଦୁସ୍ଥାନ ଏରୋନେଟିକ୍‌ସ ଲିମିଟେଡ୍‌(ହାଲ୍‌) ସୁଖୋଇ ବିମାନରେ ଏପରି ସଂରଚନାତ୍ମକ ପରିବର୍ତ୍ତନ କରିବ। ଏହାଦ୍ୱାରା ନିଜର ପ୍ରତିରକ୍ଷା ପ୍ରଣାଳୀକୁ ବାୟୁସେନା ଦୃଢ଼ କରିବା ସହ ଆବଶ୍ୟକ ସ୍ଥଳେ ଶତ୍ରୁ ପ୍ରତି ମଧ୍ୟ ଆହ୍ଵାନ ସୃଷ୍ଟି କରିବ ବୋଲି କୁହାଯାଉଛି।

ସୂଚନା ଥାଉ କି, ଗତ ମାସ ୨୨ ତାରିଖରେ ସୁଖୋଇ-୩୦ ଯୁଦ୍ଧ ବିମାନରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ପରେ ଏହାକୁ ସ୍ଥାୟୀଭାବେ ବାୟୁସେନାରେ ବ୍ୟବହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୨.୫ ଟନ ଓଜନ ବିଶିଷ୍ଟ ଏହି ବ୍ରହ୍ମୋସ୍‌ ମିଶାଇଲ ଶବ୍ଦର ବେଗଠାରୁ ମଧ୍ୟ ୩ଗୁଣା ଅଧିକ ଅର୍ଥାତ୍‌ ୨.୮ ମ୍ୟାକ୍‌ ବେଗରେ ଗତି କରି ୨୯୦ କିମି ଯାଏ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ତେବେ ଭାରତ-ଋଷିଆ ମିଳିତ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତାକୁ ୪୦୦ କିମି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଗତବର୍ଷ ଭାରତକୁ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ନିୟନ୍ତ୍ରଣ ସଂଘ(ଏମ୍‌ଟିସିଆର୍‌)ର ପୂର୍ଣ୍ଣ ସଦସ୍ୟତା ମିଳିବା ପରେ ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତାକୁ ଏପରି ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ସୁଖୋଇ-୩୦ ବିମାନରେ ବ୍ରହ୍ମୋସ୍‌ ପରି ସବୁଠୁ ଭାରୀ କ୍ଷେପଣାସ୍ତ୍ର ଖଞ୍ଜିବାରେ ଭାରତ ପ୍ରଥମ ଦେଶ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର