ନୂଆଦିଲ୍ଲୀ: ହମାସ ଆତଙ୍କବାଦୀ ଗୋଷ୍ଠୀ ଗାଜା ଷ୍ଟ୍ରିପ୍ରେ ଏକ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ରହିବା ସହ ଇସ୍ରାଏଲକୁ ଅସ୍ତ୍ରବିରତି ପାଇଁ ବାଧ୍ୟ କରିବ ବୋଲି ହମାସ ଆତଙ୍କବାଦୀ ଗୋଷ୍ଠୀର ଜଣେ ନେତୃବୃନ୍ଦଙ୍କ ସୂତ୍ରରୁ ଜଣାପଡ଼ିଛି। ଇସ୍ରାଏଲୀ ସେନାକୁ ଫସାଇବାପାଇଁ ହମାସ ସହର ସାରା ଲମ୍ବା ସୁଡ଼ଙ୍ଗର ଜାଲ ବିଛାଇଛି। ଗାଜାକୁ ଶାସନ କରୁଥିବା ହମାସ ଏହି ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ମେଡିକାଲ ଯୋଗାଣ ଗଚ୍ଛିତ ରଖିଛି। ହମାସ ଗୋଷ୍ଠୀ ଦୃଢ଼ ବିଶ୍ବାସ ରଖିଛି ଯେ ଦୀର୍ଘ ମାସ ପର୍ଯ୍ୟନ୍ତ ଏହାର ହଜାର ହଜାର ଯୋଦ୍ଧା ସୁଡ଼ଙ୍ଗ ମଧ୍ୟରେ ରହି ଗରିଲା କୌଶଳ ଦ୍ବାରା ଇସ୍ରାଏଲୀ ସୈନିକଙ୍କର ମୁକାବିଲା କରିବେ।
ଅନ୍ତର୍ଜାତୀୟ ଚାପରେ ଇସ୍ରାଏଲ ଗାଜାରେ ଯୁଦ୍ଧବିରତି କରିବ ବୋଲି ହମାସ ବିଶ୍ବାସ ରଖିଛି। ଇସ୍ରାଏଲୀ ପଣବନ୍ଦୀଙ୍କ ବଦଳରେ ଏହା ହଜାର ହଜାର ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବାପାଇଁ ମଧ୍ୟ ଲକ୍ଷ୍ୟ ରଖିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ପ୍ରାୟ ୪୦ ହଜାର ଯୋଦ୍ଧା ଅଛନ୍ତି। ସେମାନେ ସମସ୍ତେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି। ୮୦ ମିଟର ଗଭୀରତା ବିଶିଷ୍ଟ ଏହି ସୁଡ଼ଙ୍ଗ ପ୍ରାୟ ୫୦୦ କିମି ପର୍ଯ୍ୟନ୍ତ ବ୍ୟାପିଛି। ହମାସ ଆତଙ୍କବାଦୀମାନେ ସୁଡ଼ଙ୍ଗରୁ ବାହାରି ଇସ୍ରାଏଲ ଟ୍ୟାଙ୍କ୍ ଉପରକୁ ଅତର୍କିତ ଗୁଳିମାଡ଼ କରୁଛନ୍ତି ଏବଂ ପୁଣିଥରେ ସୁଡ଼ଙ୍ଗରେ ଲୁଚି ଯାଉଛନ୍ତି। ଇତିମଧ୍ୟରେ ଇସ୍ରାଏଲ ସେନା କହିଛି ଯେ ଗାଜାର ଏହି ବିଶାଳ ସୁଡ଼ଙ୍ଗ ନେଟୱର୍କକୁ ଚିହ୍ନଟ କରିବା ସହ ଏହା ଧ୍ବଂସ କରିବାପାଇଁ ପ୍ରସ୍ତୁତି ଜାରି ରହିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ଭୟାନକ ବିପର୍ଯ୍ୟୟ ପାଇଁ ହମାସ ଦୃଢ଼ ପ୍ରତିଜ୍ଞା କରିଛି।