କ୍ବାରାଣ୍ଟିନ୍‌ରେ ୪୦ ହଜାର ଭାରତୀୟ, ଦେଶବ୍ୟାପୀ ୧୫୧ ଆକ୍ରାନ୍ତ

ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ, କର୍ଣ୍ଣାଟକରେ କଠୋର କଟକଣା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି। ବିଶ୍ବବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଥିବା ବେଳେ ଭାରତରେ ବୁଧବାର ସୁଦ୍ଧା ୧୫୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କରୋନା ମୁକାବିଲା ପାଇଁ ଭାରତରେ ବିଭିନ୍ନ କଟକଣା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଗତକାଲି ମୁମ୍ବାଇରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇବା ପରେ ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଦେଶବ୍ୟାପୀ ଏବେ ୪୦ ହଜାରରୁ ଅଧିକ ଲୋକ କ୍ବାରାଣ୍ଟିନ୍‌ରେ ଅଛନ୍ତି ଏବଂ ୫୪ ହଜାର ଲୋକଙ୍କୁ ଗୋଷ୍ଠୀ ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଏମାନେ ସମସ୍ତେ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରହିଛି। ଦିଲ୍ଲୀରେ ୧୦ ଜଣ, ପଂଜାବରେ ଜଣେ, ଲଦାଖ୍‌ରେ ୮ ଜଣ, ରାଜସ୍ଥାନରେ ୪ ଜଣ, ଉତ୍ତର ପ୍ରଦେଶରେ ୧୭ ଜଣ, କର୍ଣ୍ଣାଟକରେ ୧୩ ଜଣ, ତାମିଲନାଡ଼ୁରେ ୨ ଜଣ, ତେଲେଙ୍ଗାନାରେ ୬ ଜଣ, ହରିୟାଣାରେ ୧୬ ଜଣ ଆକ୍ରାନ୍ତ ଅଛନ୍ତି।

ଦିଲ୍ଲୀ ବିମାନ ବିନ୍ଦରରେ ଆଜି ସୁଦ୍ଧା ୧.୮୫ ଲକ୍ଷ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି ଏବଂ ସନ୍ଦିଗ୍ଧମାନଙ୍କ ଉପରେ ନଜର ରଖାଯାଇଛି। ଚେନ୍ନାଇରେ ଆଜି ଦ୍ବିତୀୟ କରୋନା ମାମଲା ସ୍ପଷ୍ଟ ହେବାପରେ କଟକଣା ବଢ଼ାଇବା ଉପରେ ଚିନ୍ତା କରାଯାଉଛି। ବିହାର ସରକାର ରାଜ୍ୟର ସମସ୍ତ ମଲ୍‌, ଜିମ୍‌ ଏବଂ ସ୍ବିମିଂ ପୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଜମ୍ମୁ କାଶ୍ମୀର ପ୍ରଶାସନ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଆଜି ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ ଘୋଷଣା କରାଯାଇଛି। ଭାରତରେ ଏବେ ସବୁଠୁ ଅଧିକ କଟକଣା କର୍ଣ୍ଣାଟକରେ ଲାଗୁ ହୋଛି ଏବଂ ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିଛନ୍ତି। କର୍ଣ୍ଣାଟକରେ ଆଜି ଦୁଇଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି। ଲୁଧିଆନାରେ ୧୬୭ ଜଣ କରୋନା ସନ୍ଦିଗ୍ଧ ନିଖୋଜ ଥିବା ପ୍ରଶାସନ ସୂଚନା ଦେଇଛି। ୨୭ ଜଣ ସନ୍ଦିଗ୍ଧଙ୍କୁ ଠାବ କରି କ୍ବାରାଣ୍ଟିନ୍‌ରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଚେନ୍ନାଇରେ କଟକଣାକୁ ଭୃକ୍ଷେପ ନକରି ୫ ହଜାରରୁ ଅଧିକ ଲୋକ ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର