ନୂଆଦିଲ୍ଲୀ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତମାତ୍ରାରେ ବଢ଼ି ଚାଲିଛି। କିଛି ରାଷ୍ଟ୍ରରେ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଛି। ଯଦିଓ ଭାରତରେ ଏବେ ସେଭଳି ସ୍ଥିତି ଉପୁଜିନି କିନ୍ତୁ ଭାରତରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେଭଳି ଦିନ ଆସିବାକୁ ଆଉ ବେଶି ଦିନ ନାହିଁ। ବିଶ୍ବବ୍ୟାପୀ ଏବେ ଭେଣ୍ଟିଲେଟରର ଘୋର ଅଭାବ ଦେଖାଦେଇଛି। ଏପରିକି କିଛି ବିଳାସପୂର୍ଣ୍ଣ କାର୍ ନିର୍ମାଣକାରୀ କମ୍ପାନି ଗୁଡ଼ିକ ବି ଏବେ ଭେଣ୍ଟିଲେଟର ନିର୍ମାଣ ଆରମ୍ଭ କଲେଣି। ଏଭଳି ସ୍ଥିତିରେ ଭାରତରେ ପ୍ରାୟ ୪୦,୦୦୦ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଥିବା ଆକଳନ କରାଯାଇଛି। ତେବେ ଯଦି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ ସାଂଘାତିକ ସ୍ଥିତି ଉପୁଜିବ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୦୦ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷେ ଇଟାଲି ଏବଂ ଇରାନ୍ରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ସେଠାରେ ଅଧିକାଂଶ ରୋଗୀ ଗୁରୁତର ଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ଅଧିକ ସଂଖ୍ୟାରେ ଭେଣ୍ଟିଲେଟର ଆବଶ୍ୟକ ହେଉଛି। ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାରର ଅଧ୍ୟକ୍ଷ ଡା ଧ୍ରୁବ ଚୌଧୁରୀ କହିଛନ୍ତି, ଅଧିକାଂଶ ସରକାରୀ ଏବଂ ଘରୋଇ ହସ୍ପିଟାଲ୍ରେ ପ୍ରାୟ ୪୦,୦୦୦ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଯଦି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଏ ତେବେ ଅତି ସାଂଘାତିକ ସ୍ଥିତି ଉପୁଜିବ। ବର୍ତ୍ତମାନ ସ୍ଥିତିରେ ଭାରତରେ କରୋନା ସନ୍ଦିଗ୍ଧଙ୍କୁ ପ୍ରଥମେ ପରୀକ୍ଷା କରିବାର ଆଶବ୍ୟକତା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗୀଙ୍କର ଚିକିତ୍ସା କରାଗଲେ ଜଟିଳ ସ୍ଥିତି ଉପୁଜିବନି।
ଇଟାଲି ଏବଂ ଇରାନ୍ରେ ଆଇସିୟୁ ଏବଂ ଭେଣ୍ଟିଲେଟରର ଅଭାବ ଥିବାରୁ ଏଠାରେ ମୃତ୍ୟୁସଂଖ୍ୟା ବଢ଼ୁଥିବା କୁହାଯାଇଛି। ଅନ୍ୟପକ୍ଷେ ଭାରତ ଏଭଳି ସ୍ଥିତିକୁ କିଭଳି ମୁକାବିଲା କରିବ ସେନେଇ ଗଭୀର ଚିନ୍ତା ପ୍ରକଟ ହୋଇଛି। ଭାରତ ଭେଣ୍ଟିଲେଟର ରପ୍ତାନି କରିବା ବନ୍ଦ କରିଦେଇଛି। ୨୦୧୯ରେ ସରକାରୀ ହସ୍ପିଟାଲ୍ ଗୁଡ଼ିକ ସବୁଠୁ ଅଧିକ ଭେଣ୍ଟିଲେଟର କିଣିଛନ୍ତି। ଗୋଟିଏ ଭେଣ୍ଟିଲେଟରର ମୂଲ୍ୟ ହାରହାରି ୮-୧୦ ଲକ୍ଷ। ପ୍ରାୟ ୪୪୪.୭୪ କୋଟି ଟଙ୍କାରେ ୮,୫୧୦ ଭେଣ୍ଟିଲେଟର ୨୦୧୯ରେ କିଣାଯାଇଛି। ଅନ୍ୟପକ୍ଷେ ଭାରତରେ ପ୍ରତି ୧୪୫୭ ରୋଗୀରେ ଜଣେ ଡାକ୍ତର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dg9jh87d98jh7dg9j87dg98jdgjdgjdgdgjjjggjgggggggggg.jpg)