ଆମେରିକାରେ ପ୍ରାଣ ହାରିଲେଣି ୬୦୦ ସ୍ବାସ୍ଥ୍ୟ କର୍ମୀ, ଡବ୍ଲ୍ୟୁଏଚ୍ଓ ଛାଡ଼ିବାକୁ ଧମକ ଦେଲେ ବଲ୍‌ସୋନାରୋ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀରେ ବିଶ୍ବରେ ସବୁଠୁ ପ୍ରଭାବିତ ହୋଇଥିବା ରାଷ୍ଟ୍ର ହେଉଛି ଆମେରିକା। ମୋଟ୍‌ ସଂକ୍ରମଣ ମାମଲା ଆମେରିକାରେ ୧୯ ଲକ୍ଷ ୬୬ ହଜାରରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୧ ହଜାର ଟପିଯାଇଛି। ତେବେ ସବୁଠୁ ଗମ୍ଭୀର ବିଷୟ ହେଉଛି ଆମେରିକାରେ କରୋନା ‌ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଅଧିକ ସଂଖ୍ୟାରେ ପ୍ରାଣ ହରାଇଛନ୍ତି। ଡାକ୍ତର, ନର୍ସ‌୍ ଏବଂ ପାରାମେଡିକ୍ସଙ୍କ ସମେତ ‌ଆମେରିକାରେ ପ୍ରାୟ ୬୦୦ ସ୍ବାସ୍ଥ୍ୟକର୍ମୀ କରୋନାରେ ପ୍ରାଣ ହରାଇଛନ୍ତି। ଆମେରିକାରେ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ବିଭିନ୍ନ ପ୍ରକାର ଚ୍ୟାଲେଂଜ ସାମ୍ନା କରୁଛନ୍ତି। ପିପିଇ କିଟ୍‌ ଏବଂ ମାସ୍କର ଘୋର୍‌ ଅଭାବ ଦେଖା ଦେଉଛି। ଅନେକ ସ୍ବାସ୍ଥ୍ୟକର୍ମୀ ମାସ୍କକୁ ବାରମ୍ବାର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଆମେରିକାରେ ‌କେତେକ ପ୍ରଖ୍ୟାତ ଡାକ୍ତର ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ଆହୁରି ଅଧିକ ଲୋକଙ୍କ ମୃତ୍ୟୁ ହେବ ବୋଲି କୁହାଯାଉଛି।

ସେପଟେ ବ୍ରାଜିଲ୍‌ରେ ଅଣାୟତ୍ତ ସ୍ଥିତି ଉପୁଜିଛି। ପ୍ରତି ମିନିଟ୍‌ରେ ବ୍ରାଜିଲ୍‌ରେ ଜଣଙ୍କର ମୃତ୍ୟୁ ହେଉଛି। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୬ ଲକ୍ଷ ୪୬ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩୫ ହଜାର ଅତିକ୍ରମ କରିଯାଇଛି। ଶୁକ୍ରବାର ରାତିରେ ବ୍ରାଜିଲ୍‌ରେ ପୁଣି ୧,୦୦୦ରୁ ଅଧିକ ମୃତ୍ୟୁ ରିପୋର୍ଟ କରାଯାଇଛି। ଅନ୍ୟପକ୍ଷେ ମେକ୍ସିକୋରେ ୬୨୫ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ ସଂକ୍ରମଣ ବଢ଼ୁଥିବା ବେଳେ ରାଷ୍ଟ୍ରପତି ଜେଆର୍‌ ବଲ୍‌ସୋନାରୋ ରାଷ୍ଟ୍ରରୁ ଲକ୍‌ଡାଉନ୍‌ ଉଠାଇବା ପଦକ୍ଷେପ ନେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏନେଇ ଚେତାବନୀ ଦେବାପରେ ବଲ୍‌ସୋନାରୋ ଡବ୍ଲ୍ୟୁଏଚ୍ଓ ଛାଡ଼ିଦେବେ ବୋଲି ଧମକ ଦେଇଛନ୍ତି। ଆର୍ଥିକ ସଙ୍କଟ ଜନ ସ୍ବାସ୍ଥ୍ୟ ବିପଦଠାରୁ ଅଧିକ ଭାରି ପଡ଼ିଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଲାଟିନ୍‌ ଆମେରିକାରେ ୧.୧ ନିୟୁତ ଲୋକ କରୋନା ସଂକ୍ରମିତ ‌ହୋଇ ସାରିଛନ୍ତି। ପ୍ରତି ମିନିଟ୍‌ରେ କରୋନା ଭାଇରସ୍‌ ବ୍ରାଜିଲ୍‌ରେ ଜଣଙ୍କର ଜୀବନ ନେଉଛି। ବ୍ରାଜିଲ୍‌ରେ ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି। ବିଶ୍ବରେ ଏବେ ମୋଟ୍‌ ସଂକ୍ରମଣ ମାମଲା ୬୮ ଲକ୍ଷ ୭୫ ହଜାରରେ ପହଞ୍ଚିଛି ଏବଂ ୩ ଲକ୍ଷ ୯୮ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଆମେରିକା, ବ୍ରାଜିଲ୍‌, ରୁଷ୍‌, ସ୍ପେନ୍‌ ,ବ୍ରିଟେନ୍‌ ଏବଂ ଭାରତ ଏବେ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଭାବେ ବିବେଚିତ।

ସମ୍ବନ୍ଧିତ ଖବର