ୟୁକ୍ରେନ୍‌ରେ ୪୦୦ ହସ୍ପିଟାଲ୍‌ ଧ୍ୱଂସ ହେଲାଣି

କିବ୍‌ : ରୁଷ୍‌ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ରେ ୪୦୦ ହସ୍ପିଟାଲ୍‌ ଏବଂ ସ୍ବାସ୍ଥ୍ୟସେବା କେନ୍ଦ୍ର ଧ୍ବଂସ ହୋଇଛି। ଏଥିରୁ ରାଜଧାନୀ କିବ୍‌ ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟ ବାଦ୍‌ ପଡ଼ିନି। ଖାରକିଭ୍‌, ମାରିୟୁପୋଲ୍‌, ମାଇକୋଲେବ୍‌ ଆଦି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବୋଲି ଆଉ କିଛିନାହିଁ। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜ‌େଲେନ୍‌ସ୍କି ଗତ ରାତିରେ ୟୁକ୍ରେନ୍‌ ନାଗରିକଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍‌ରେ ସ୍ବାସ୍ଥ୍ୟ ସେବା ବ୍ୟସ୍ଥା ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ସାଧାରଣ ଚିକିତ୍ସା ବି ଉପଲବ୍ଧ ହେଉନାହିଁ। ଲୋକଙ୍କ ପାଇଁ ଚିକିତ୍ସା ଏବେ ସ୍ବପ୍ନ ପାଲଟି ଯାଇଥିବାରୁ ଶହ ଶହ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି । କର୍କଟ ରୋଗୀଙ୍କ ପାଇଁ ଚିକିତ୍ସାର ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇସାରିଛି। ଆଣ୍ଟିବାୟୋଟିକ୍ସ ଏବଂ ଇନ୍‌ସୁଲିନ୍‌ର ଘୋର ଅଭାବ ଦେଖାଦେଇଛି। ମାର୍ଚ୍ଚ ୭ ତାରିଖରେ ମାରିୟୁପୋଲ୍‌‌ରେ ମାତୃ ଏବଂ ଶିଶୁ ହସ୍ପିଟାଲ୍‌ ଉପରେ ରୁଷ୍‌ର ଆକ୍ରମଣ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ। କିବ୍‌ର ପଶ୍ଚିମ ଜିଟୋମିର୍‌ରେ ୨ଟି ହସ୍ପିଟାଲ୍‌କୁ ରୁଷ୍‌ ବିମାନ ଆକ୍ରମଣରେ ସମ୍ପୂର୍ଣ୍ଣ ଉଡ଼ାଇ ଦେଇଛି । ମୋଟ୍‌ ୪୦୦ରୁ ଅଧିକ ହସ୍ପିଟାଲ୍‌କୁ ରୁଷ୍‌ ଧ୍ବଂସ କରିଦେଇଥିବାରୁ ଏହା ବଡ଼ ଧରଣର ସଙ୍କଟ ସୃଷ୍ଟି କରିଛି ।

ଅନ୍ୟପକ୍ଷେ ଯୁଦ୍ଧ ଆରମ୍ଭ ପରଠାରୁ ଏଯାବତ ରୁଷ୍‌ ପ୍ରାୟ ୨୫ ହଜାର ସୈନିକଙ୍କୁ ହରାଇଛି ବୋଲି ୟୁକ୍ରେନ୍‌ ଦାବି କରିଛି । ଯୁଦ୍ଧକୁ ୭୨ ଦିନ ପୂରିଥିବା ବେଳେ ୟୁକ୍ରେନ୍‌ ବିଦେଶ ମନ୍ତ୍ରାଳୟ ଆଜି ଦାବି କରିଛି ଯେ, ରୁଷ୍‌ର ୨୪,୯୦୦ ସୈନିକ ନିହତ ହୋଇଛନ୍ତି ଏବଂ ୧୧୧୦ ଟ୍ୟାଙ୍କ୍‌ ଧ୍ବଂସ ହୋଇଛି। ରୁଷ୍‌ର ୧୫୫ ହେଲିକପ୍ଟର, ୫୦୨ ଆର୍ଟିଲେରି ସିଷ୍ଟମ୍‌ ଧ୍ବଂସ ହୋଇଛି।

ସମ୍ବନ୍ଧିତ ଖବର