ମୁମ୍ବାଇ: ମୁମ୍ବାଇ ସହରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ଗଣେଶ ଉତ୍ସବ ଶେଷ ହେଉଥିବା ବେଳେ ମୁମ୍ବାଇ ସହର ଏବେ ଚଳଚଞ୍ଚଳ ରହିଛି। ଏତିକିବେଳେ ବୋମା ଧମକ ସହରରେ ଆତଙ୍କ ଖେଳାଇ ଦେଇଛି। ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଛି ଏବଂ ଏଥିରେ ଦାବି କରାଯାଇଛି ଯେ ମୁମ୍ବାଇରେ ୩୪ଟି ଗାଡ଼ିରେ ଶକ୍ତିଶାଳୀ ବୋମା ଖଞ୍ଜାଯାଇଛି। ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ସହରରେ ଅନୁପ୍ରବେଶ କରିଛନ୍ତି। ଧମକପୂର୍ଣ୍ଣ ମେସେଜରେ ଆହୁରି ମଧ୍ୟ କୁହାଯାଇଛି ଯେ ବିସ୍ଫୋରଣରେ ୪୦୦ କିଲୋଗ୍ରାମ ଆର୍ଡିଏକ୍ସ ବ୍ୟବହାର କରାଯିବ ଯାହା ୧ କୋଟି ଲୋକଙ୍କର ଜୀବନ ନେଇଯିବ। ବିସ୍ଫୋରଣରେ ସମଗ୍ର ମୁମ୍ବାଇ ସହର ଥରି ଉଠିବ ବୋଲି ଧମକ ବାର୍ତ୍ତାରେ କୁହାଯାଇଛି।
ମୁମ୍ବାଇ ଟ୍ରାଫିକ ପୁଲିସକୁ ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏହି ଧମକ ମିଳିଛି। ଧମକରେ ଦାବି କରାଯାଇଛି ଯେ ସହର ସାରା ୩୪ଟି ଗାଡ଼ିରେ ‘ବୋମା’ ଲଗାଯାଇଛି ଏବଂ ବିସ୍ଫୋରଣ ସମଗ୍ର ମୁମ୍ବାଇକୁ ଥରାଇ ଦେବ। ‘ଲସ୍କର-ଏ-ଜିହାଦୀ’ ବୋଲି ଦାବି କରୁଥିବା ଏହି ସଂଗଠନ ଦାବି କରିଛି ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଗଣେଶ ଉତ୍ସବ ଏବଂ ଅନନ୍ତ ଚତୁର୍ଦ୍ଦଶୀକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ କଡ଼ା ସତର୍କତା ଅବଲମ୍ବନ କରିଛି। ରାଜ୍ୟ ସାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଏହି ଧମକପୂର୍ଣ୍ଣ ମେସେଜ୍ର ତଦନ୍ତ କରାଯାଉଛି। କେଉଁଠାରୁ ଏବଂ କିଏ ଏହି ମେସେଜ୍ ପଠାଇଛି ସେନେଇ ଯାଞ୍ଚ କରାଯାଉଛି।
ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଗଣେଶ ମହୋତ୍ସବର ଦଶମ ଏବଂ ଶେଷ ଦିନ ଅନନ୍ତ ଚତୁର୍ଦ୍ଦଶୀରେ ମୂର୍ତ୍ତି ବିସର୍ଜନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମୁମ୍ବାଇରେ ୨୧,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପ୍ରଥମ ଥର ପାଇଁ, ପୁଲିସ ରୁଟ୍ ପରିଚାଳନା ଏବଂ ଅନ୍ୟାନ୍ୟ ଟ୍ରାଫିକ ସମ୍ବନ୍ଧୀୟ ଅପଡେଟ୍ ପାଇଁ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବ୍ୟବହାର କରାଯିବ। ଏଥିସହ ୧୨ ଜଣ ଅତିରିକ୍ତ ପୁଲିସ କମିସନର, ୪୦ ଜଣ ଡେପୁଟି କମିସନର, ୬୧ ଜଣ ସହକାରୀ କମିସନର, ୩,୦୦୦ ଅଧିକାରୀ ଏବଂ ୧୮,୦୦୦ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଏହା ବ୍ୟତୀତ ରାଜ୍ୟ ରିଜର୍ଭ ପୁଲିସ ବାହିନୀର ୧୪ କମ୍ପାନି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୪ କମ୍ପାନି, କ୍ୱିକ୍ ରିଆକ୍ସନ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ନିୟୋଜିତ ହେବେ।