ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଦ ଦୁର୍ନୀତି ମାମଲାରେ ଏବେ ପାଞ୍ଚଦିନ ପାଇଁ ସିବିଆଇ ହେପାଜତରେ ଅଛନ୍ତି। ଏହା ଭିତରେ ଏହି ମଦ ଦୁର୍ନୀତି ମାମଲାରେ ଆଉ ଏକ ଖୁଲାସା କରିଛି ଇଡି। ଅବକାରୀ ନୀତି ଉପରେ ଆପ୍ ସରକାର ସାଧାରଣ ଜନତାଙ୍କ ମତାମତ ଲୋଡ଼ିଥିଲେ। ବାସ୍ତବରେ ଜନତାଙ୍କ ମତକୁ କାର୍ଯ୍ୟକାରୀ କରିବା ପାଇଁ ନୁହେଁ ବରଂ ସେମାନଙ୍କ ‘ଆଇୱାସ୍’ କରିବା ପାଇଁ ଏହା ଥିଲା ଆପ୍ର ଷଡ଼୍ଯନ୍ତ୍ର। ଆପ୍ର ଆହ୍ବାନକ୍ରମେ ମଦ ନୀତି ସହ ଜଡ଼ିତ ୪୦୦୦ରୁ ଅଧିକ ଇମେଲ ଦିଲ୍ଲୀ ସରକାରଙ୍କ ପାଖରେ ପହଞ୍ଚିଥିଲା। ଏହା ସାଧାରଣ ଜନତାଙ୍କ ଇମେଲ କୁହାଯାଇଥିବା ବେଳେ ବାସ୍ତବରେ ଏଗୁଡ଼ିକ ଅଧିକାଂଶ ନକଲି ଇମେଲ ଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି । ଇଡି ଚାର୍ଜସିଟ୍ରେ ପ୍ରକାଶ କରିଛି ଯେ, ଭଡ଼ାରେ ନିଆଯାଇଥିବା ପିଆର୍ କମ୍ପାନିଗୁଡ଼ିକ ଦ୍ବାରା ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିକୁ ପ୍ରଭାବିତ କରିବା ପାଇଁ ପ୍ରାୟ ୪୦୦୦ ଇମେଲ ପଠାଯାଇଥିଲା।
ବର୍ତ୍ତମାନ ଇଡି ଓ ସିବିଆଇ ଉଭୟ ଉକ୍ତ ପ୍ରସଙ୍ଗ ଉପରେ ଯାଞ୍ଚ କରୁଛନ୍ତି। ଇଡିର କହିବା ଅନୁସାରେ ଡାନିକ୍ସ ଅଧିକାରୀ ସି ଅରବିନ୍ଦ ଯାଞ୍ଚ ଏଜେନ୍ସିକୁ କହିଥିଲେ ଯେ ମନିଷ ସିସୋଦିଆ ସ୍ବତନ୍ତ୍ର ଭାବରେ ଅବକାରୀ ନୀତି ପ୍ରସ୍ତୁତ କରିବା ପାଇଁ ତାଙ୍କୁ କହିଥିଲେ। ପାଇକାରୀ ଲାଭ ୧୨ ପ୍ରତିଶତ ଧାର୍ଯ୍ୟ କରିବା ପାଇଁ ଜିଓଏମ୍ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ) ବୈଠକରେ ଆଲୋଚନା ହୋଇ ନ ଥିଲା। ଅଚାନକ ୨୦୨୧ ମାର୍ଚ୍ଚ ମାସରେ ମନିଷ ସିସୋଦିଆ ସି ଅରବିନ୍ଦଙ୍କୁ କେଜ୍ରିୱାଲଙ୍କ ବାସଭବନକୁ ଡାକିଥିଲେ। ସେଠାରେ ସତ୍ୟେନ୍ଦ୍ର ଜୈନ ବି ଉପସ୍ଥିତ ଥିଲେ। ମନିଷ ସିସୋଦିଆ ସି ଅରବିନ୍ଦଙ୍କୁ ଏକ ଡକୁମେଣ୍ଟ ଦେଇଥିଲେ, ଯାହା ଥିଲା ଚିଠା ଜିଓଏମ୍ ରିପୋର୍ଟ। ଏଥିରେ ପାଇକାରୀ ଲାଭ ୧୨ ପ୍ରତିଶତ ରଖିବା ପାଇଁ ପ୍ରସ୍ତାବ ରହିଥିଲା। ଏହି ଡକୁମେଣ୍ଟ ଭିତ୍ତିରେ ତାଙ୍କୁ ଚିଠା ଜିଓଏମ୍ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ବିନୟ ବାବୁ ଆଇଏସ୍ଡବ୍ଲୁଏଆଇ ଦ୍ବାରା ଭଡ଼ାରେ ନିଆଯାଇଥିବା ମିଡ଼ିଆ ଏଜେନ୍ସିଗୁଡ଼ିକ ମାଧ୍ୟମରେ କର୍ତ୍ତୃପକ୍ଷଙ୍କୁ ୪୦୦୦ ଇମେଲ ପଠାଇବା ଷଡ଼୍ଯନ୍ତ୍ରର ଅଂଶ ଥିଲେ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଇମେଲ ନକଲି ଇମେଲ ଆଇଡି ତିଆରି କରି ପଠାଯାଇଥିଲା। ସେହି ଇମେଲଗୁଡ଼ିକ ସାଧାରଣ ଜନତା ପଠାଇଛନ୍ତି ବୋଲି ଦର୍ଶାଯାଇଥିଲା। ଭଡ଼ାରେ ନିଆଯାଇଥିବା ଦୁଇଟି ଏଜେନ୍ସି ୩୦୦୦ ଇମେଲ ଆଇଡି ତିଆରି କରିଥିଲେ ଏବଂ ୧୦୦୦ ଇମେଲ ଆଇଡି ଅନ୍ୟ ଆଡ଼ୁ ସଂଗ୍ରହ କରାଯାଇଥିଲା। ବିଶେଷଜ୍ଞ କମିଟିର ରିପୋର୍ଟ ସପକ୍ଷରେ ଦିଲ୍ଲୀ ସରକାରଙ୍କୁ ୪୦୦୦ ଇମେଲ ପଠାଯାଇଥିଲା। ଜିଓଏମ୍ ଭିତରେ ତିନିଜଣ ମନ୍ତ୍ରୀ ଥିଲେ। ସେମାନେ ହେଉଛନ୍ତି ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ କୈଳାସ ଗେହଲଟ। ଏମାନଙ୍କ ମଧ୍ୟରୁ ଦୁଇଜଣ ଏବେ ହାଜତରେ ଅଛନ୍ତି। ବାସ୍ତବରେ ସାଧାରଣ ଜନତାଙ୍କ ମତକୁ ଅବକାରୀ ନୀତିରେ କାର୍ଯ୍ୟକାରୀ କରାଯାଇ ନ ଥିଲା। କ୍ୟାବିନେଟ୍ ବୈଠକରେ ମନ୍ତ୍ରିପରିଷଦ ଆଗରେ ବିଶେଷଜ୍ଞ କମିଟି ରିପୋର୍ଟ, ଷ୍ଟେକ୍ହୋଲ୍ଡର ଓ ସାଧାରଣ ଜନତାଙ୍କ ମତାମତ ଉପସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାରବିମର୍ଶ ପାଇଁ ଜିଓଏମ୍ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ପୂର୍ବ ନୀତିରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଅନ୍ତିମ ଅବକାରୀ ନୀତି ୨୦୨୧ ଜୁଲାଇ ୫ ତାରିଖରେ ଦିଲ୍ଲୀ ଏକ୍ସାଇଜ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଥିଲା।