ୟେସ ବ୍ୟାଙ୍କ ସଂକଟ ଯୋଗୁଁ ବିଦେଶରେ ଫସି ରହିଛନ୍ତି ୪୦ ହଜାର ଭାରତୀୟ

ନୂଆଦିଲ୍ଲୀ : ୟେସ ବ୍ୟାଙ୍କ ସଂକଟ ଯୋଗୁଁ ବିଦେଶରେ ଥିବା ପ୍ରାୟ ୪୦ ହଜାର ଭାରତୀୟ ସମସ୍ୟାରେ ଫସିରହିଛନ୍ତି । ବ୍ୟାଙ୍କ ଖାତାରେ ଅର୍ଥ ଥିବା ସତ୍ତ୍ୱେ ସେମାନଙ୍କ ୟେସ ବ୍ୟାଙ୍କ ଡେବିଟ ଓ ଫରେକ୍ସ କାର୍ଡ ଅଚଳ ହୋଇଯାଇଛି । ଏହା ଫଳରେ ସେମାନେ ବିଭିନ୍ନ ଜରୁରୀ ଖର୍ଚ୍ଚ ପାଇଁ ସେମାନେ ପେମେଣ୍ଟ କରିପାରୁନାହାନ୍ତି ।

ମିଳିଥିବା ସୂଚନା ଅନୁସାର ପ୍ରାୟ ୪୦ ହଜାର ଭାରତୀୟ ଏବେ ୟେସ ବ୍ୟାଙ୍କ ଡେବିଟ୍‌ କାର୍ଡ କିମ୍ବା ଫରେକ୍ସ କାର୍ଡ ସହ ବିଦେଶ ଭ୍ରମଣରେ ଅଛନ୍ତି । କିନ୍ତୁ ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଲଗାଇବା ପରେ ସେମାନେ ସମସ୍ୟାରେ ପଡ଼ିଯାଇଛନ୍ତି । କାରଣ ୟେସ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣକୁ ମାସିକ ୫୦ ହଜାର ଟଙ୍କାରେ ସୀମିତ ରଖାଯାଇଛି । ଉଠାଣ କଟକଣା ଯୋଗୁଁ ବିଦେଶରେ ଥିବା ଏହି ଭାରତୀୟମାନଙ୍କ ଡେବିଟ କାର୍ଡ ଓ ଫରେକ୍ସ କାର୍ଡ ଅଚଳ ହୋଇଯାଇଛି । ଫରେକ୍ସ କାର୍ଡ ଧରୁଥିବା ଲୋକମାନେ ସାଧାରଣତଃ ନଗଦ ଅର୍ଥ ବଦଳରେ ଏହାକୁ ବ୍ୟବହାର କରନ୍ତି । କିନ୍ତୁ ଏସବୁ କାର୍ଡ ଅଚଳ ହୋଇଯାଇଥିବାରୁ େଲୋାକମାନେ ନିଜର ହୋଟେଲ ଖର୍ଚ୍ଚ, ବିମାନ ଟିକେଟ ଏପରିକି ଖାଦ୍ୟ ଓ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ପେମେଣ୍ଟ କରିପାରୁନାହାନ୍ତି ।

ରିଜର୍ଭ ବ୍ୟାଙ୍କ ଗତ ୫ ତାରିଖରେ ଆର୍ଥିକ ସଂକଟରେ ପଡ଼ିଥିବା ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଥିଲେ । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ ବୋଲି କଟକଣା ଲାଗୁ କରିଥିଲେ ।

ସମ୍ବନ୍ଧିତ ଖବର