ଇସ୍ତାନବୁଲ : ତୁର୍କୀ ( ତୁର୍କୀଏ )ରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣା ଘଟିଛି । ଉତ୍ତର ତୁର୍କୀଏରେ ଥିବା ଏକ କୋଇଲା ଖଣି ଭିତରେ ମିଥେନ ଗ୍ୟାସ ଜମାହେବା ଯୋଗୁଁ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଏଥିରେ ଏ ପର୍ୟ୍ୟନ୍ତ ୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ତୁର୍କିଏର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୁଲେମାନ ସୋଏଲୁ ଶନିବାର କହିଛନ୍ତି ଯେ ଜଣେ ନିଖୋଜ ଖଣି ମାଲିକଙ୍କ ପାଇଁ ଖୋଜାଖୋଜି ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ମିଥେନ ଗ୍ୟାସ ଜମାହେବା ଯୋଗୁଁ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି । ଫସି ରହିଥିବା ଖଣି ଶ୍ରମିକମାନେ ଭୂପୃଷ୍ଠରୁ ଶହ ଶହ ମିଟର ତଳେ ଫସି ରହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଣିରେ କାର୍ୟ୍ୟ କରୁଥିବା ୧୧୦ ଜଣଙ୍କ ମଧ୍ୟରୁ ୫୮ ଜଣଙ୍କୁ ଦଳ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି କିମ୍ବା ସେମାନେ ନିଜେ ବାହାରକୁ ଆସିବାରେ ସଫଳ ହୋଇଥିଲେ । ଏହା ସତ୍ତ୍ବେ ଆହୁରି କେତେକ ଶ୍ରମିକ ଭୂପୃଷ୍ଠରୁ ଶହ ଶହ ମିଟର ତଳେ ପୋତି ହୋଇରହିଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି ।
ସୋଏଲୁ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଖଣିରେ ନିଆଁ ଲାଗିଛି କିନ୍ତୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଘଟଣାଟି ଭୂପୃଷ୍ଠରୁ ୩୫୦ ମିଟର ତଳେ ଘଟିଥିଲା ।