ଆଗୁଆ ମୌସୁମୀ ସତ୍ତ୍ବେ ଶୁଖିଲା ପଡ଼ିଛି ଜୁନ ମାସ, ୯ ତାରିଖ ସୁଦ୍ଧା ୪୨% ନିଅଣ୍ଟିଆ ବର୍ଷା

ନୂଆଦିଲ୍ଲୀ : ଏବର୍ଷ କେରଳକୁ ୩ ଦିନ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବା ସତ୍ତ୍ବେ ଜୁନମାସ ଏପର୍ଯ୍ୟନ୍ତ ଶୁଖିଲା ପଡ଼ିଛି । ବର୍ଷା ନିଅଣ୍ଟ ପରିମାଣ ବଢିଚାଲିଛି । ଜୁନ ୧ରୁ ୯ ମଧ୍ୟରେ ସାରା ଭାରତରେ ବର୍ଷା ନିଅଣ୍ଟ ପରିମାଣ ୪୨ ପ୍ରତିଶତ ରହିଛି, ଯାହାକି ବିଗତ କିଛି ବର୍ଷ ମଧ୍ୟରେ ସର୍ବାଧିକ । କେରଳରେ ଏହି ନିଅଣ୍ଟ ପରିମାଣ ୫୮ ପ୍ରତିଶତ ରହିଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଅନୁମାନ ଅନୁସାରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ବି ସ୍ଥିତିରେ ଉନ୍ନତି ଆସିବାର କୌଣସି ସମ୍ଭାବନା ନାହିଁ । ଆସନ୍ତା ୩ ଦିନରେ ଗୋଆ, ଉପକୂଳ କର୍ଣ୍ଣାଟକ ଓ କୋଙ୍କଣରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । ପରବର୍ତ୍ତୀ କିଛି ଦିନରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ବି ବର୍ଷା ହେବାର ସମ୍ଭାବନା ରହିଛି । ଏହା ସତ୍ତ୍ବେ ଜୁନ ମାସରେ ନିଅଣ୍ଟିଆ ସ୍ଥିତି ଦୂର ହେବାର ସମ୍ଭାବନା କମ ବୋଲି ସ୍କାଏମେଟ କହିଛି ।

ଅନ୍ୟପକ୍ଷରେ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୌସୁମୀର ଅଗ୍ରଗତିରେ କୌଣସି ବିଳମ୍ବ ହୋଇନାହିଁ । ଆସନ୍ତା ୨ ଦିନରେ ଏହା ମହାରାଷ୍ଟ୍ରରେ ପହଞ୍ଚିବ ଓ ପରବର୍ତ୍ତି ୨ ଦିନରେ ଏହା ସମଗ୍ର ମହାରାଷ୍ଟ୍ରକୁ ଅନ୍ତର୍ଭୁକ୍ତ କରିବ । ପରବର୍ତ୍ତୀ ଦୁଇଦିନରେ ଏହା କର୍ଣ୍ଣାଟକ ଓ ତାମିଲନାଡୁର ଆଉ କିଛି ଅଂଚଳ, ଆନ୍ଧ୍ରପ୍ରଦେଶକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମଡି ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ।

ସମ୍ବନ୍ଧିତ ଖବର