ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ନଷ୍ଟ ହୋଇଗଲା ୪୨ ଲକ୍ଷ ଟଙ୍କାର ନୋଟ

କାନପୁର: ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ସଢ଼ିଗଲା ୪୨ ଲକ୍ଷ ଟଙ୍କାର ନୋଟ | କାନପୁରର ପାଣ୍ଡବ ନଗରରେ ଅବସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ବଡ଼ ଅବହେଳାର ମାମଲା ସାମ୍ନାକୁ ଆସିଛି। ଏଠାରେ ଟ୍ରେଜେରିରେ ରଖାଯାଇଥିବା ୪୨ ଲକ୍ଷ ଟଙ୍କା ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି | ଆଉ ଏହି ଘଟଣାରେ ୪ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି | ମିଳିଥିବା ସୂଚନା ମୁତାବକ ତିନିମାସ ପୂର୍ବେ ଟଙ୍କା ନଷ୍ଟ ହୋଇଯାଇଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ମିଶି ଏହି ମାମଲାକୁ ଚାପିଦେଇଥିଲେ |ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଡିଟରେ ଏବାବଦରେ ଜଣାପଡିଥିଲା ।

ତିନି ମାସ ପୂର୍ବେ ଘଟିଥିବା ଏହି ମାମଲାରେ ବ୍ୟାଙ୍କ ଅଧିକାରୀମାନେ ଏ ବିଷୟରେ କାହାକୁ ଜଣାଇ ନଥିଲେ। ଜୁଲାଇ ମାସ ଶେଷରେ, ଯେତେବେଳେ ଆରବିଆଇ ପକ୍ଷରୁ ଅଡିଟ୍ କରାଯାଇଥିଲା, ଏବାବଦରେ ଜଣାପଡିଥିଲା | ଆରବିଆଇ ଅଧିକାରୀମାନେ ଜୁଲାଇ ୨୫ ରୁ ଜୁଲାଇ ୨୯, ୨୦୨୨ ପର୍ଯ୍ୟନ୍ତ ଏହି ଶାଖାର ଟ୍ରେଜେରୀର ଅଡିଟ କରିଥିଲେ | କେତେ ଟଙ୍କା ବ୍ୟାଙ୍କକୁ ଆସିଛି ଓ କେତେ ଟଙ୍କା ବ୍ୟାଙ୍କରୁ ଯାଇଛି ସେବାବଦରେ ଅଡିଟବେଳେ ୪୨ ଲକ୍ଷ ଟଙ୍କା ବାବଦରେ ତଥ୍ୟ ମିଳିନଥିଲା |

ଏହାପରେ ବ୍ୟାଙ୍କ କର୍ମଚାରୀଙ୍କୁ ଏବାବଦରେ ପଚରାଯିବାରୁ ସେମାନେ ଟଙ୍କା ନଷ୍ଟ ହୋଇଯାଇଥିବାର ଜଣାଇଥିଲେ | ଏହି ଘଟଣାରେ ସିନିୟର ମ୍ୟାନେଜରଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ଯାଂଚ ପରେ ନିଲମ୍ବିତ କରାଯାଇଥିଲା। ତେବେ ବର୍ତ୍ତମାନ ଆରବିଆଇ ଯାଞ୍ଚ କରୁଛି ଯେ ଏତେ ସଂଖ୍ୟକ ନୋଟ୍ ନଷ୍ଟ ହୋଇଯିବା ପରେ ମଧ୍ୟ କିଭଳି ବ୍ୟାଙ୍କ କର୍ମଚାରୀ ଜାଣିପାରିଲେ ନାହିଁ |

ସମ୍ବନ୍ଧିତ ଖବର