୪୨% ଲୋକ ଆର୍ଥିକ ଠକେଇର ଶିକାର

ନୂଆଦିଲ୍ଲୀ : ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଛି। ଡିଜିଟାଲ ବ୍ୟାଙ୍କିଂ ଏବଂ ପେମେଣ୍ଟ ବ୍ୟବସ୍ଥା ଦ୍ବାରା ଉଭୟ ସାଧାରଣ ଲୋକ ଓ ସରକାର ଉପକୃତ ହୋଇଛନ୍ତି। ଗୋଟିଏ ପଟେ ଆର୍ଥିକ କାରବାର ତ୍ବରାନ୍ବିତ ହେବା ସହିତ ସହଜ ମଧ୍ୟ ହୋଇପାରିଛି। କିନ୍ତୁ ଅନ୍ୟପଟେ ବହୁଲୋକ ଡିଜିଟାଲ କାରବାର ପାଇଁ ଠକେଇର ଶିକାର ହେଉଛନ୍ତି। ଏହି ଠକେଇ ଦିନକୁ ଦିନ ବଢ଼ିବାରେ ବି ଲାଗିଛି। ଆଖି ପିଛୁଳାକେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଉଛି। କେହି କେହି ଆର୍ଥିକ ପ୍ରଲୋଭନରେ ପଡ଼ି ଠକାମୀର ଶିକାର ହେଉଥିବା ବେଳେ ଆଉ କେହି କେହି କୌଣସି ଦୋଷ ନଥାଇ ଅର୍ଥ ହରାଉଛନ୍ତି। ଗତ ୩ ବର୍ଷ ମଧ୍ୟରେ ପାଖାପାଖି ୪୨ ପ୍ରତିଶତ ଭାରତୀୟ ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଏକ ନୂଆ ସର୍ଭେ ରିପୋର୍ଟରୁ ଏହା ଜଣାଯାଇଛି।

ତେବେ ଚିନ୍ତାଜନକ ବିଷୟ ହେଲା ଯେ ଗତ ୩ ବର୍ଷ ମଧ୍ୟରେ ଯେଉଁମାନେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ସେମାନଙ୍କ ଟଙ୍କା ପାଇବାରେ ସକ୍ଷମ ହୋଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ବ୍ୟାଙ୍କିଂ ଜାଲିଆତିର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୧୭ ପ୍ରତିଶତ ଟଙ୍କା ଫେରି ପାଇଛନ୍ତି। ପାଖାପାଖି ୭୪ ପ୍ରତିଶତ ଲୋକ କୌଣସି ସମାଧାନ ପାଇପାରି ନାହାନ୍ତି ବୋଲି କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲସର୍କଲସ ରିପୋର୍ଟରେ କୁହାଯାଇଛି।

ଲୋକାଲସର୍କଲସର ପୂର୍ବ ସର୍ଭେ‌ରୁ ଜଣାଯାଇଥିଲା ଯେ ୨୯ ପ୍ରତିଶତ ଲୋକ ସେମାନଙ୍କ ଏଟିଏମ୍‌ ବା ଡେବିଟ୍ କାର୍ଡର ପିନ୍‌ ନମ୍ବର ସେମାନଙ୍କ ପରିବାରର ପ୍ରିୟ ସଦସ୍ୟଙ୍କ ନିକଟରେ ପ୍ରକାଶ କରିଦେଇଥାନ୍ତି। ସେହିଭଳି ୪ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟାଳୟ ଓ ଘରୋଇ କର୍ମଚାରୀଙ୍କୁ ବି ଏଟିଏମ୍‌ ବା ଡେବିଟ୍ କାର୍ଡ ପିନ୍ ନମ୍ବର ଦେଇ ଦେଇଥାନ୍ତି। ସର୍ଭେରୁ ଏହା ଜଣାଯାଇଛି ଯେ ୩୩ ପ୍ରତିଶତ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ କିମ୍ବା ଏଟିଏମ୍‌ ପାସୱାର୍ଡ, ଆଧାର ଏବଂ ପ୍ୟାନ ନମ୍ବର ଆଦିକୁ ସେମାନଙ୍କ ଇ-ମେଲ୍ କିମ୍ବା କମ୍ପ୍ୟୁଟରରେ ସାଇତି ରଖିଥାନ୍ତି। ୧୧ ପ୍ରତିଶତ ଲୋକ ଉକ୍ତ ତଥ୍ୟକୁ ସେମାନଙ୍କ ଫୋନ କଣ୍ଟାକ୍ଟ ଲିଷ୍ଟରେ ରଖିଥାନ୍ତି।
ନୂଆ ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ବ୍ୟାଙ୍କ ଆକାଉଣ୍ଟ ଠକେଇ, ରାତାରାତି ଉଭାନ ହୋଇ ଯାଉଥିବା ଇ-କମର୍ସ କମ୍ପାନି, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଠକେଇ ଆର୍ଥିକ ଠକେଇ ମଧ୍ୟରେ ସବୁଠୁ ଅଧିକ ଚିନ୍ତାଜନକ ବିଷୟ ପାଲଟିଛି। ଫୋନ୍‌ର କଣ୍ଟାକ୍ଟ ଲିଷ୍ଟ, ଇ-ମେଲ୍‌ କିମ୍ବା କମ୍ପ୍ୟୁଟରରେ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ରଖାଯିବା ଦ୍ବାରା ସାଇବର ଆକ୍ରମଣର ବିପଦ ବଢ଼ିଯାଉଛି। ବିଶେଷତଃ ଯଦି ଫୋନ୍‌ ହଜିଯାଉଛି କିମ୍ବା ମନ୍ଦ ଉଦ୍ଦେଶ୍ୟ ଥିବା ବ୍ୟକ୍ତିଙ୍କ ହାତରେ ଫୋନ୍‌ କିମ୍ବା କମ୍ପ୍ୟୁଟର ପଡ଼ୁଛି ତା’ହେଲେ ତାହା ଅଧିକ ସମସ୍ୟା ସୃଷ୍ଟି କରୁଛି।

ସ୍ମାର୍ଟଫୋନର କଣ୍ଟାକ୍ଟ ଲିଷ୍ଟ ଓ ଇ-ମେଲ୍‌ରେ ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ କିମ୍ବା ଏଟିଏମ୍‌, କ୍ରେଡିଟ୍ କାର୍ଡ ଆଦିର ପାସୱାର୍ଡ ଆଦି ରଖିବା ଆର୍ଥିକ ଠକେଇ ଭଳି ବିପଦକୁ ଡାକି ଆଣିଥାଏ। କାରଣ ଆଜିକାଲି ଅଧିକାଂଶ ଅନଲାଇନ ଆପ୍‌ର ବ୍ୟବହାର କରିବା ସମୟରେ ସେଗୁଡ଼ିକ ଫୋନ୍‌ର କଣ୍ଟାକ୍ଟ ଏବଂ ମେସେଜ୍ ଆଦିର ଆକ୍ସେସ ପାଇଁ ଅନୁମତି ମାଗିଥାନ୍ତି। ଆର୍ଥିକ ଠକେଇ ଏବଂ କ୍ଷତିରୁ ବର୍ତ୍ତିବା ପାଇଁ ହେଲେ ବିଶେଷଜ୍ଞମାନେ ଇ-ମେଲ୍‌, କମ୍ପ୍ୟୁଟର ଓ ମୋବାଇଲ ଫୋନ୍‌ର ପାସୱାର୍ଡକୁ ଅଧିକ ସୁଦୃଢ଼ କରିବାକୁ ପରାମର୍ଶ ଦେଇ ଆସୁଛନ୍ତି। ସଂଖ୍ୟା, ଅକ୍ଷର ଏବଂ ସ୍ବତନ୍ତ୍ର କ୍ୟାରେକ୍ଟର ଆଦିକୁ ନେଇ ପାସୱାର୍ଡ ପ୍ରସ୍ତୁତ କରାଗଲେ ତାହାକୁ ଭେଦ କରିବା ଠକଙ୍କ ପାଇଁ ସହଜ ହୋଇ ନଥାଏ। ଏହାବ୍ୟତୀତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଆର୍ଥିକ କାରବାର କରିବା ପାଇଁ ବ୍ୟବହୃତ ହେଉଥିବା ପାସୱାର୍ଡଗୁଡ଼ିକୁ ନିୟମିତ ଭାବେ ଏବଂ କମ୍‌ ସମୟ ବ୍ୟବଧାନରେ ବଦଳାଇବାର ଆବଶ୍ୟକତା ରହିଛି। ଉକ୍ତ ସର୍ଭେ ଦେଶର ୩୦୧ଟି ଜିଲ୍ଲାର ପାଖାପାଖି ୩୨ ହଜାର ଲୋକଙ୍କୁ ନେଇ ପ୍ରସ୍ତୁତ କରାଯାଇଛି।

 

ସମ୍ବନ୍ଧିତ ଖବର