ନୂଆଦିଲ୍ଲୀ : ପୂର୍ବତଟ ଓ ଦକ୍ଷିଣ-ପୂର୍ବ ରେଳପଥରେ ଚଳାଚଳ କରୁଥିବା ପାସେଞ୍ଜର୍ ଟ୍ରେନ୍କୁ ମେଲ୍/ ଏକ୍ସପ୍ରେସ୍ ଟ୍ରେନ୍ରେ ରୂପାନ୍ତର କରାଯାଇଛି। ପୂର୍ବତଟ ରେଳପଥର ୬ଟି ଏବଂ ଦକ୍ଷିଣ-ପୂର୍ବ ରେଳପଥର ୩୬ଟି ଯାତ୍ରୀବାହି ଟ୍ରେନ୍କୁ ମେଲ୍/ ଏକ୍ସପ୍ରେସ୍ ଟ୍ରେନ୍କୁ ରୂପାନ୍ତରିତ କରାଯାଇଛି। ଏ ନେଇ ଥିବା ପ୍ରସ୍ତାବକୁ ରେଳବୋର୍ଡ ଅନୁମୋଦନ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବତଟ ରେଳପଥ ଅନ୍ତର୍ଗତ ଦୈନିକ ଚଳାଚଳ କରୁଥିବା (୫୮୪୧୭) ପୁରୀ-ଗୁଣୁପୁର ପାସେଞ୍ଜର, (୫୮୪୧୮) ଗୁଣୁପୁର-ପୁରୀ ପାସେଞ୍ଜର, (୫୮୫୨୯) ଦୁର୍ଗ-ବିଶାଖାପାଟନମ୍, (୫୮୫୩୦) ବିଶାଖାପାଟନମ୍-ଦୁର୍ଗ, (୫୮୫୨୫) ବିଶାଖାପାଟନମ୍-ବ୍ରହ୍ମପୁର ଓ (୫୮୫୨୬) ବ୍ରହ୍ମପୁର-ବିଶାଖାପାଟନମ୍ ପାସେଞ୍ଜର ଟ୍ରେନଗୁଡିକୁ ମେଲ/ଏକ୍ସପ୍ରେସ ଟ୍ରେନକୁ ରୂପାନ୍ତରିତ କରାଯାଇଛି। ସେହିପରି ଦକ୍ଷିଣ ପୂର୍ବ ରେଳପଥର ୩୬ଟି ଦୈନିକ ପାସେଞ୍ଜର ଟ୍ରେନ୍ ଗୁ଼ଡ଼ିକୁ ମେଲ/ଏକ୍ସପ୍ରେସ ଟ୍ରେନ୍କୁ ରୂପାନ୍ତରିତ କରାଯାଇଛି। ସେଥିମଧ୍ୟରୁ (୫୮୦୦୧) ହାୱଡ଼ା-ପୁରୀ, ୫୮୦୦୨ ପୁରୀ-ହାୱଡ଼ା, (୫୮୦୦୩) ହାୱଡ଼ା-ଭଦ୍ରକ, (୫୮୦୦୪) ଭଦ୍ରକ-ହାୱାଡ଼ା (୫୮୦୦୫) ଖଡ଼ଗପୁର-ଖୋର୍ଦ୍ଧା ରୋଡ, (୫୮୦୦୬) ଖୋର୍ଦ୍ଧା ରୋଡ-ଖଡ଼ଗପୁର, (୫୮୧୩୧) ରାଉରକେଲା-ପୁରୀ (୫୮୧୩୨) ପୁରୀ-ରାଉରକେଲା, (୬୮୧୦୯) ଖଡ଼ଗପୁର-ଯାଜପୁର କେଉଁଝର ରୋଡ଼, (ମେନୁ), (୬୮୧୧୦) ଯାଉଁଝର ରୋଡ଼-ଖଡ଼ଗପୁର (ମେନୁ), (୬୮୧୬୧) ହଟିଆ-ଝାରସୁଗୁଡ଼ା (ମେନୁ) ଓ (୬୮୧୬୨) ଝାରସୁଗୁଡ଼ା-ହଟିଆ (ମେନୁ ପାସେଞ୍ଜର ଟ୍ରେନ ସାମିଲ ରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବତଟ ରେଲପଥରୁ ୬ଟି ଓ ଦକ୍ଷିଣ ପୂର୍ବ ରେଳ ପଥରୁ ମୋଟ ୩୬ଟି ପାସେଞ୍ଜର ଟ୍ରେନକୁ ମେଲ/ଏକ୍ସପ୍ରେସ ଟ୍ରେନରେ ରୂପାନ୍ତର ପାଇଁ ରେଳ ବୋର୍ଡଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା, ଯାହାକୁ ରେଳବୋର୍ଡ ଦ୍ୱାରା ଗ୍ରହଣ କରାଯାଇଛି। ରେଳବୋର୍ଡ ଦ୍ୱାରା ୧୫ଟି ରେଳ ଜୋନ୍ରେ ଚଳାଚଳ କରୁଥିବା ସମୁଦାୟ ୩୪୮ଟି ଦୈନିକ ପାସେଞ୍ଜଲ ଟ୍ରେନ୍ଗୁଡ଼ିକୁ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ରେ ରୂପାନ୍ତରିତ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସର୍ବାଧିକ ୪୭ଟି ଦୈନିକ ପାସେଞ୍ଜର ଟ୍ରେନର ଦକ୍ଷିଣ ମଧ୍ୟ ରେଳ ଜୋନର ଓ ୪୩ ଟି ଉତ୍ତର ପଶ୍ଚିମ ରେଳ ଜୋନ୍ର ରହିଛି। ଟ୍ରେନମାନଙ୍କର ଗତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ରେଳବୋର୍ଡ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଥିବାର କୁହାଯାଇଛି। ଦୈନିକ ପାସେଞ୍ଜର ଟ୍ରେନଗୁଡ଼ିକୁ ମେଲ/ଏକ୍ସପ୍ରେସ୍ରେ ରୂପାନ୍ତରିତ କରାଯାଇ ପ୍ରତିଘଣ୍ଟା ୧୩୦ ରୁ ୧୬୦ କିଲୋମିଟର ଗତିରେ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ରେଳବୋର୍ଡ ସୂତ୍ର ଅନୁସାରେ ଦେଶରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବା ପରେ ରୂପାନ୍ତରିତ କରାଯାଇଥିବା ମେଲ/ଏକ୍ସପ୍ରେସ ଟ୍ରେନଗୁଡ଼ିକର ପରିଚାଳନାକୁ ନେଇ ରୂପରେଖ ପ୍ରସ୍ତୁତ କରାଯିବ।