‘ମେଘାଳୟ ଯୁଗ’ର ସନ୍ଧାନ ମିଳିଲା ୪୨୦୦ ବର୍ଷ ପୁରୁଣା ଇତିହାସ

0

ନୂଆଦିଲ୍ଲୀ: ପୃଥିବୀ ଇତିହାସରେ ଏକ ନୂତନ ଯୁଗର ସନ୍ଧାନ ମିଳିଛି ଏବଂ ଏହା ଭାରତର ମେଘାଳୟ ସହିତ ସଂପୃକ୍ତ। ବୈଜ୍ଞାନିକମାନେ ୪୨୦୦ ବର୍ଷ ତଳର ପୃଥିବୀ ଇତିହାସକୁ ମେଘାଳୟ ଯୁଗ ନାମରେ ନାମିତ କରିଛନ୍ତି। ଏହି ସମୟରେ ବିଶ୍ୱ ବ୍ୟାପୀ ଭୟଙ୍କର ମରୁଡ଼ି ଦେଖାଦେଇଥିଲା ଏବଂ ଜଳବାୟୁରେ ବଡ଼ ଧରଣର ବିଭ୍ରାଟ ଉପୁଜିଥିଲା। ଏଥିପାଇଁ ସମଗ୍ର ବିଶ୍ୱରେ ଅନେକ ସଭ୍ୟତାର ପରିସମାପ୍ତି ଘଟିଥିଲା। ଭୂବୈଜ୍ଞାନିକଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ମେଘାଳୟର ଏକ ଗୁମ୍ଫାର ଛାତରୁ ଖସିଥିବା ଚୂନ ଗଦାକୁ ନେଇ ବ୍ୟାପକ ଗବେଷଣା ପରେ ଇତିହାସର ଏହି ନୂଆ ଯୁଗକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି ଏବଂ ଏଥିପାଇଁ ଏହାକୁ ମେଘାଳୟ ଯୁଗ ଭାବେ ନାମିତ କରାଯାଇଛି । ୪ ହଜାର ୬ ଶହ ବର୍ଷ ତଳର ପୃଥିବୀ ଇତିହାସକୁ ଅନେକ ଭାଗରେ ବିଭକ୍ତ କରାଯାଇଛି । ପ୍ରତିଟି ଯୁଗର ମହତ୍ତ୍ୱପୂର୍ଣ୍ଣ ଘଟଣା ଯେଭଳି ମହାଦେଶୀୟ ଚଳନ, ପରିବେଶନରେ ନାଟକୀୟ ପରିବର୍ତ୍ତନ, ପୃଥିବୀରେ ନୂତନ ପ୍ରକାରର ଜୀବଜନ୍ତୁଙ୍କ ସୃଷ୍ଟି, ନୂତନ ବୃକ୍ଷଲତାର ଉତ୍ପତ୍ତି ଉପରେ ଆଧାରିତ। ଏବେ ଯେଉଁ ବର୍ତ୍ତମାନ କାଳରେ ଆମେ ରହୁଛେ ତାହାକୁ ହୋଲୋସିନ ଯୁଗ ଭାବେ ନାମିତ କରାଯାଇଛି। ଏହା ବିଗତ ୧୧୭୦୦ ବର୍ଷର ଇତିହାସ ଉପରେ ଆଧାରିତ। ଏକ ବିସ୍ମୟକର ତାପମାତ୍ରା ଦ୍ୱାରା ଆମେ ହିମଯୁଗରୁ ବାହାରି ଆସିବା ପରଠାରୁ ବର୍ତ୍ତମାନର ଯୁଗକୁ ହୋଲୋସିନ ଯୁଗ କୁହାଯାଉଛି । ଅନ୍ତର୍ଜାତୀୟ ଭୂବିଜ୍ଞାନୀଙ୍କ ମତ ଅନୁଯାୟୀ ହୋଲୋସିନ ଯୁଗକୁ ମଧ୍ୟ ବିଭିନ୍ନ ଭାଗରେ ବଣ୍ଟା ଯାଇଛି। ଭୂବୈଜ୍ଞାନିକ ଇତିହାସ ଏବଂ ସମୟର ବିବରଣୀ ରଖୁଥିବା ସଂସ୍ଥା ଆଇସିଏସ୍‌ ଦ୍ୱାରା ଯୁଗର ଉପର-ମଧ୍ୟ-ତଳ ପର୍ଯ୍ୟାୟକୁ ବିଭାଜିତ କରିବାକୁ ବି ପ୍ରସ୍ତାବ ଦିଆଯାଇଛି । ଏହି ସବୁ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି । ସବୁଠାରୁ ନୂତନ ଯୁଗ ଭାବେ ପରିଚିତ ମେଘାଳୟ ଯୁଗ ୪୨୦୦ ବର୍ଷ ତଳୁ ୧୯୫୦ ମସିହା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହାର ଆରମ୍ଭ ଭୟଙ୍କର ମରୁଡ଼ିରୁ ଆରମ୍ଭ ହୋଇଥିଲା। ଏହାର ପ୍ରଭାବ ଶହ ଶହ ବର୍ଷ ଧରି ରହିଥିଲା। ଶେଷ ହିମ ଯୁମର ସମାପ୍ତି ପରେ ଅନେକ କ୍ଷେତ୍ରରେ ବିକାଶ ଘଟିଥିଲା ଏବଂ କୃଷି ଆଧାରିତ ସମାଜ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିଲା।

ସମ୍ବନ୍ଧିତ ଖବର