ଗତ ୨୪ ଘଣ୍ଟାରେ ୪୨୧୩ଟି ନୂଆ କରୋନା ସଂକ୍ରମଣ ମାମଲା, ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନି : ଲବ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୧୫୫୯ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ଫଳରେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୨୦୯୧୭ ଓ ଆରୋଗ୍ୟ ହାର ୩୧.୧୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୨୧୩ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି, ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୬୭୧୫୨ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।  ତେବେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସେ କହିଛନ୍ତି ।

କେନ୍ଦ୍ର ସରକାର କରୋନା ରୋଗୀଙ୍କ ଡିସଚାର୍ଜ ପଲିସୀ ବା ଡାକ୍ତରଖାନାରୁ ଛାଡ଼ ନୀତିରେ ଆଣିଥିବା ସଂଶୋଧନ ସଂପର୍କରେ ସେ କହିଛନ୍ତି ଯେ ବିଶ୍ୱର ଅନ୍ୟ ଦେଶମାନେ ମଧ୍ୟ ନିଜର ଡିସଚାର୍ଜ ପଲିସୀରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଏହା ପରୀକ୍ଷା-ଭିତ୍ତିକ ଥିବାବେଳେ ଏବେ ତାହା ଲକ୍ଷଣ ବା ସମୟ ଭିତ୍ତିକ ହୋଇଛି । ଏପରି ନୀତି ଭାରତ ସରକାର ମଧ୍ୟ ଗ୍ରହଣ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ବନ୍ଦେ ଭାରତ ମିଶନ ଅଧିନରେ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ଭାରତୀୟଙ୍କୁ ୨୩ଟି ଫ୍ଲାଇଟ ମାଧ୍ୟମରେ ଭାରତ ଫେରାଇ ଅଣାଯାଇଛି । ସେହିପରି ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ, କର୍ମଜୀବିଙ୍କୁ ୪୬୮ଟି ସ୍ୱତନ୍ତ୍ର ଟ୍ରେନରେ ନିଜ ନିଜ ଗୃହରାଜ୍ୟକୁ ପଠାଇଦିଆଯାଇଛି । ଗତକାଲି ପ୍ରାୟ ୧୦୧ଟି ସ୍ୱତନ୍ତ୍ର ଟ୍ରେନ ଚାଲିଥିଲା ।

ସମ୍ବନ୍ଧିତ ଖବର