ନୂଆଦିଲ୍ଲୀ: ପୁନଃନିର୍ବାଚନ ଲଢ଼ୁଥିବା ୩୨୪ ଲୋକସଭା ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୫ ବର୍ଷ ମଧ୍ୟରେ ୪୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ‌ଲୋକସଭା‌ ନିର୍ବାଚନ ଲଢ଼ୁଥିବା ମୋଟ୍‌ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୮୩୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏଡିଆର (ଆସୋସିଏସନ୍‌ ଫର ଡିମୋକ୍ରାଟିକ ରିଫର୍ମ‌୍ସ) କହିଛି ଯେ ପୁନଃ ନିର୍ବାଚନ ଲଢ଼ୁଥିବା ୩୨୪ ପ୍ରାର୍ଥୀଙ୍କ ସମ୍ପତ୍ତି ୪୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ୩୨୪ ସାଂସଦଙ୍କ ହାରାହାରି ସମ୍ପତ୍ତି ୨୧.୫୫ କୋଟି ଥିଲା। ତେବେ ୨୦୨୪ରେ ଏହା ୩୦.୮୮କୋଟିକୁ ବୃଦ୍ଧି ପାଇଛି। ଗତ ୫ ବର୍ଷ ମଧ୍ୟରେ ୩୨୪ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯.୩୩ କୋଟି ବୃଦ୍ଧି ପାଇଥିବା ଆକଳନରୁ ଜଣାପଡ଼ିଛି। ତେବେ ଅନ୍ୟ ୨୩ ପ୍ରାର୍ଥୀଙ୍କ ସତ୍ୟପାଠ ଏଡିଆର୍‌ ଆକଳନ କରିପାରିନି। ଏଡିଆର ଅନୁଯାୟୀ ପ୍ରମୁଖ ଦଳମାନଙ୍କ ମଧ୍ୟରେ ବିଜେପିର ପୁନଃ ନିର୍ବାଚନ ଲଢ଼ୁଥିବା ୧୮୩ ସାଂସଦଙ୍କ ହାରାହାରି ସମ୍ପତ୍ତି ୩୯.୧୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ବିଜେପିର ୧୮୩ ସାଂସଦଙ୍କ ହାରାହାରି ସମ୍ପତ୍ତି ୧୮.୪୦ କୋଟି ଥିବାବେଳେ ୨୦୨୪ରେ ଏହା ୨୫.୬୧ କୋଟିକୁ ବୃଦ୍ଧି ପାଇଛି। ସେହିପରି ୩୬ କଂଗ୍ରେସ ସାଂସଦଙ୍କ ସମ୍ପତ୍ତି ମଧ୍ୟ ୪୪.୧୩ କୋଟିରୁ ୬୫.୬୪ କୋଟିକୁ ବୃଦ୍ଧି ପାଇଛି।

Advertisment

ଚଳିତ ଲୋକସଭା ନିର୍ବା‌ଚନ ଦୌଡ଼ରେ ଥିବା ୮,୩୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ। ୨୫୭୨ ପ୍ରାର୍ଥୀଙ୍କର ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବାବେଳେ ୧,୦୧୮ ତଥା ୧୨ ପ୍ରତିଶତ ପ୍ରାର୍ଥୀଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ସେହିଭଳି ୯ ପ୍ରତିଶତ ପ୍ରାର୍ଥୀଙ୍କର ୨-୫ ‌କୋଟି ଟଙ୍କାର ସମ୍ପତ୍ତି ଅଛି। ବିଜେପିରେ ସର୍ବାଧିକ ୯୨ ପ୍ରତିଶତ କୋଟିପତି ପ୍ରାର୍ଥୀ ଥିବାବେଳେ କଂଗ୍ରେସରେ ୮୯% କୋଟିପତି ପ୍ରାର୍ଥୀ ରହିଥିବା ଏଡିଆର ରିପୋର୍ଟରୁ ପ୍ରକାଶ।