ନୂଆଦିଲ୍ଲୀ : ସମ୍ପ୍ରତି ମହାମାରୀ କୋଭିଡ୍ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ପାଠମନସ୍କ ରଖିବା ଲାଗି ଅନ୍‌ଲାଇନ୍‌ରେ ଶିକ୍ଷାଦାନ ବ୍ୟବସ୍ଥା ଚାଲିଛି। ତେବେ ଏଥିରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ୪୩ ପ୍ରତିଶତ ଭିନ୍ନକ୍ଷମ ବିଦ୍ୟାର୍ଥୀ ପାଠପଢ଼ା ଛାଡ଼ିଦେବେ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତ୍ରିପୁରା, ଚେନ୍ନାଇ, ସିକିମ୍‌, ନାଗାଲାଣ୍ଡ, ହରିଆଣା ଓ ଜାମ୍ମୁକାଶ୍ମୀରରେ ଭିନ୍ନକ୍ଷମମାନଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଭିମାନ ପକ୍ଷରୁ ଗତ ମେ ମାସରେ ଅନୁଷ୍ଠିତ ଏହି ସର୍ବେକ୍ଷଣରେ ୩,୬୨୭ ଜଣ ଭୁକ୍ତଭୋଗୀ ସାମିଲ ହୋଇଥିଲେ। ମିଳିଥିବା ତଥ୍ୟର ପରିସଂଖ୍ୟାନ ଅନୁଯାୟୀ, ସାଢ଼େ ୫୬ ପ୍ରତିଶତ ଭିନ୍ନକ୍ଷମ ବିଦ୍ୟାର୍ଥୀ କଷ୍ଟ ଭୋଗିବା ସତ୍ତ୍ବେ ଏଭଳି ଶିକ୍ଷାଦାନରେ ଅନିୟମିତ ଭାବେ ଯୋଗଦେଉଛନ୍ତି। ସେହିପରି ୭୭ ପ୍ରତିଶତ ଛାତ୍ରଛାତ୍ରୀ ଏପରି ଦୂର ଶିକ୍ଷଣ ବ୍ୟବସ୍ଥା ସହିତ ଖାପ ଖୁଆଇବାକୁ ଅସମର୍ଥ ହୋଇଥିବାରୁ ସେମାନେ ପଛରେ ପଡ଼ିଯିବାର ଆଶଙ୍କା ପ୍ରକଟ କରିଛନ୍ତି। ତେବେ ମୋଟାମୋଟି ଭାବେ ୫୬.୪୮ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ା ଚାଲୁ ରଖିବାକୁ ଇଚ୍ଛା କରିଥିବା ବେଳେ ୪୩.୫୨ ପ୍ରତିଶତ ବିଦ୍ୟାଳୟ ଛାଡ଼ିବେ ବୋଲି ଯୋଜନା କରୁଥିବା କହିଛନ୍ତି।

Advertisment

ଅପରପକ୍ଷେ, ବହୁତ ସଂଖ୍ୟକ ଛାତ୍ରଛାତ୍ରୀ ଏକା ସମୟରେ କଥାବାର୍ତ୍ତା କରୁଥିବାରୁ ୩୯ ପ୍ରତିଶତ ଦୃଷ୍ଟିବାଧିତ କିଛି ବୁଝିପାରୁନାହାନ୍ତି ବୋଲି କହିଛନ୍ତି। ସେହିପରି ସଂପୃକ୍ତ ୱେବିନାର(ୱେବ୍‌ରେ ସଂଘଟିତ ସେମିନାର)ରେ ସାଙ୍କେତିକ ଭାଷା ଅନୁବାଦକ ରହୁନାହାନ୍ତି ବୋଲି ୪୪ ପ୍ରତିଶତ ଭିନ୍ନକ୍ଷମ କହିଛନ୍ତି। ଅପରପକ୍ଷେ, ୮୬ ପ୍ରତିଶତ ଭିନ୍ନକ୍ଷମଙ୍କ ପିତାମାତା ସଂପୃକ୍ତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଜାଣିନାହାନ୍ତି ବୋଲି କହିଥିବା ବେଳେ ଆବଶ୍ୟକ ଶିକ୍ଷାସାମଗ୍ରୀ ପାଇପାରିନାହାନ୍ତି ବୋଲି ୮୧ ପ୍ରତିଶତ ଶିକ୍ଷକ ସ୍ବୀକାର କରିଛନ୍ତି। ସେହିପରି ୬୪ ପ୍ରତିଶତ ପିଲାଙ୍କର ସ୍ମାର୍ଟଫୋନ୍‌ କି ଘରେ କମ୍ପ୍ୟୁଟର ନାହିଁ ବୋଲି ଶିକ୍ଷକମାନେ ଜଣାଇଛନ୍ତି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭିତରୁ ୭୪ ପ୍ରତିଶତ ମୋବାଇଲ୍ ଡାଟା କି ଵାଇଫାଇ ସୁବିଧା ଚାହିଥିବା ବେଳେ ୬୧ ପ୍ରତିଶତଙ୍କର ସ୍କ୍ରାଇବ୍, ଏସ୍କର୍ଟ, ରିଡର୍ସ କି ଆଟେଣ୍ଡାଣ୍ଟ୍ ଭଳି ସହଯୋଗୀ ଲୋଡ଼ା ଥିବା କହିଛନ୍ତି। ସେହିପରି ସ୍ବାଭିମାନର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ରଙ୍କ କହିବା ଅନୁଯାୟୀ, ଭିନ୍ନକ୍ଷମମାନେ ଭିନ୍ନ ଭିନ୍ନ ଶାରୀରିକ ଅକ୍ଷମତା ଭୋଗୁଥିବାରୁ ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଆବଶ୍ୟକତା ରହିଥିବାରୁ ସେମାନଙ୍କୁ ଗୋଟିଏ ଦଳରେ ସାମିଲ କରିବା ଠିକ୍‌ ନୁହେଁ। ବର୍ତ୍ତମାନ କୋଭିଡ୍‌ ପରିପ୍ରେକ୍ଷୀରେ ଭିନ୍ନକ୍ଷମମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ ନକରାଇଲେ ସେମାନେ ଭବିଷ୍ୟତରେ ସମ୍ମାନର ସହ ବଞ୍ଚିବା ଲାଗି ଆବଶ୍ୟକ ଶିକ୍ଷା ଅନ୍ବେଷଣରେ ଅପୂରଣୀୟ କ୍ଷତି ସହିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।