ପାକିସ୍ତାନରେ ୪୩ ଜଣ ଶିଖ୍‌ ଯୁବତୀଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି: ଏସ୍‌ଏଡି ନେତା

ନୂଆଦିଲ୍ଳୀ: ଗତ କିଛି ଦିନ ତଳେ ଜଣେ ପାକିସ୍ତାନୀ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନେଇ ବଳପୂର୍ବକ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଇବା ସହ ଜଣେ ଇସ୍‌ଲାମ ଯୁବକଙ୍କ ସହ ବିବାହ କରାଇବା ଘଟଣା ନ ଲିଭୁଣୁ ଏ ନେଇ ନୂଆ ନୂଆ କଥା ସବୁ ଉଠିବାରେ ଲାଗିଛି। ଦୀର୍ଘ ଏକ ସପ୍ତାହ ଧରି ଚର୍ଚ୍ଚାରେ ଥିବା ଏହି ଶିଖ୍‌ ଯୁବତୀ ଗତକାଲି ନିଜ ଘରକୁ ଫେରିବା ପରେ ସିରୋମଣି ଅଖିଳ ଦଳ(ଏସ୍‌ଏଡି) ନେତା ମଞ୍ଜିଦେର୍‌ ଏସ୍‌ ଶିର୍ଷା ବୁଧବାର ଅଭିଯୋଗ ଆଣି କହିଛନ୍ତି ଯେ ପଡ଼ୋଶୀ ରାଜ୍ୟର ୪୩ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବତୀଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି।

ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ମ୍ୟାନେଜ୍‌ମେଣ୍ଟ୍‌ କମିଟିର ମୁଖ୍ୟ ଶିର୍ଷା ଏମାନଙ୍କ ମଧ୍ୟରୁ ୧୨ ଜଣ ଯୁବତୀଙ୍କ ସଂପର୍କରେ ସବିଶେଷ ତଥ୍ୟ ତାଙ୍କର ହସ୍ତଗତ ହୋଇଛି ବୋଲି କହିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନର ସଂଖ୍ୟାଲଘୁ ଶିଖ୍‌ ଯୁବତୀମାନଙ୍କୁ ଇସ୍‌ଲାମ ଧର୍ମ ନେବାକୁ ବାଧ କରାଯାଉଛି। ଏ ଘଟଣାର ଆନ୍ତର୍ଜାତୀୟ ସ୍ତରରେ ତଦନ୍ତ କରିବା ପାଇଁ ଶିର୍ଷା ଗୃହମନ୍ତ୍ରୀ ଅମିତ ଶାହା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୈଶଙ୍କରଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର