ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂଆ ମୋଟର ଯାନ ଆଇନ ଅଧୀନରେ ଯେଉଁ ଚାଳକ ଟ୍ରାଫିକ୍ ନିୟମ ଉଲ୍ଳଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ଜରିମାନା ଲାଗୁ ହେଉଛି। ନୂଆ ଆଇନ ଅଧୀନରେ ହେଲମେଟ୍ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା କରାଯାଉଛି। ତେବେ ଏଭଳି କଠୋର ଜରିମାନା ଲାଗୁ ହେବା ଅତି ଜରୁରୀ ଥିଲା। କାରଣ ପ୍ରତିବର୍ଷ କେବଳ ହେଲମେଟ୍ ନ ପିନ୍ଧିବା ଯୋଗୁଁ ଅକାରଣରେ ଅନେକ ଜୀବନ ଚାଲିଯାଉଛି। ୨୦୧୮ ମସିହାରେ ସଡ଼କ ଦୁର୍ଘଟଣାରେ ଯେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ କେବଳ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ୪୩,୬୦୦ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୧୭ ମସିହା ତୁଳନାରେ ଏହା ୨୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ ମସିହାରେ ହେଲମେଟ୍ ନପିନ୍ଧିଥିବା ଯୋଗୁଁ ୩୫,୯୭୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ୨ ଚକିଆ ଗାଡ଼ି ଚାଳକଙ୍କ ପଛରେ ବସୁଥିବା ବ୍ୟକ୍ତିଙ୍କର ମଧ୍ୟ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ଘଟୁଛି। ୨୦୧୮ ମସିହାରେ ଗାଡ଼ି ଚାଳକଙ୍କ ପଛରେ ବସିଥିବା ପ୍ରାୟ ୧୫,୩୬୦ ଲୋକଙ୍କର ହେଲମେଟ୍ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ହୋଇଥିଲା। ଉତ୍ତରପ୍ରଦେଶରେ ହେଲମେଟ୍ ପିନ୍ଧିନଥିବା ହେତୁ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ। ୨୦୧୮ରେ ଉତ୍ତରପ୍ରଦେଶରେ ୬,୦୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରରେ ମଧ୍ୟ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ୫୨୩୨ ଜଣ ଚାଳକଙ୍କ ମୃତ୍ୟୁ ହୋଇଛି। ତାମିଲନାଡ଼ୁରେ ହେଲମେଟ୍ ପିନ୍ଧିନଥିବା ପ୍ରାୟ ୫୨୩୨ ଜଣ ଚାଳକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।
ଗୁଜରାଟରେ ଗତବର୍ଷ ୯୫୮ ଦୁଇ ଚକିଆ ଚାଳକଙ୍କର ବିନା ହେଲମେଟ୍ରେ ମୃତ୍ୟୁ ହୋଇଥିଲା। ଏହିବର୍ଷ ଗାଡ଼ି ଚାଳକଙ୍କ ପଛରେ ବସିଥିବା ୫୬୦ ଜଣଙ୍କର ହେଲମେଟ୍ ନପିନ୍ଧିଥିବା ଯୋଗୁଁ ମୃତ୍ୟୁ ହୋଇଥିଲା। ସେହିପରି ଝାଡ଼ଖଣ୍ଡରେ ମଧ୍ୟ ହେଲମେଟ୍ ପିନ୍ଧିନଥିବା ଯୋଗୁଁ ପ୍ରାୟ ୭୯୦ ଜଣ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ପ୍ରାୟ ୪୫୦ ଜଣଙ୍କର ହେଲମେଟ୍ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ହୋଇଛି। ଗତ ସପ୍ତାହରେ ଏହି ୨ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଚାଳକଙ୍କ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍ ପିନ୍ଧିନଥିବେ ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ନାହିଁ। ଅନ୍ୟପକ୍ଷେର ସିଟ୍ ବେଲ୍ଟ ପିନ୍ଧୁନଥିବା ଯୋଗୁଁ ୨୦୧୮ ମସିହାରେ ପ୍ରାୟ ୨୪,୪୦୦ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ୨୮,୯୦୦ କାର୍ ଚାଳକଙ୍କର ସିଟ୍ ବେଲ୍ଟ ପିନ୍ଧି ନଥିବା ଯୋଗୁଁ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ନୂଆ ମୋଟର ଯାନ ଆଇନ ଅଧୀନରେ ସିଟ୍ ବେଲ୍ଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ୧୦୦୦ ଟଙ୍କା ଜରିମାନା କରାଯାଉଛି।