କଶ୍ମୀରରେ ଆତ୍ମଘାତୀ କାର୍‌ ଆକ୍ରମଣ : ୪୪ ଯବାନ ସହିଦ

ଟାର୍ଗେଟରେ ସିଆର୍‌ପିଏଫ୍, ଆକ୍ରମଣ ପଛରେ ଜୈସ ସଂଗଠନ

ଶ୍ରୀନଗର : ଜମ୍ମୁ-କଶ୍ମୀର‌େର ପାକିସ୍ତାନୀ ଆତଙ୍କବାଦୀମାନେ ଆଜି ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛନ୍ତି। ଏଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ଶତାଧିକ ଯବାନ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ୨୦୧୬ରେ ଉରିରେ ଆକ୍ରମଣ ପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ଏହି ଆକ୍ରମଣର କଡ଼ା ଭ‌ାଷାରେ ନିନ୍ଦା କରିବା ସହିତ ଚେତାବନୀ ଶୁଣାଇଛନ୍ତି ଯେ ଯବାନମାନଙ୍କ ବଳିଦାନ ବେକାର ଯିବନାହିଁ।

ଆଜିର ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈ‌ସ ମହମ୍ମଦ ନିଜକୁ ଦାୟୀ କରିଛି। ନିରାପତ୍ତା ବାହିନୀ ସମଗ୍ର ଅଞ୍ଚଳକୁ ଘେରିଯାଇ ସର୍ଚ ଅପରେସନ ଚଳାଇଛନ୍ତି।

ସିଆର୍‌ପିଏଫ୍‌ର ପ୍ରାୟ ୨୫୦୦ ଯବାନ ୭୮ଟି ଗାଡ଼ିରେ ଯାଉଥିବା ବେଳେ ପୁଲୱାମାର ଶ୍ରୀନଗର-ଜମ୍ମୁ ରାଜପଥ ସ୍ଥିତ ଅବନ୍ତିପୋରା ଅଂଚଳରେ ଆଜି ଦିନ ୩ଟା ୨୦ରେ ଏହି ଆକ୍ରମଣ ହୋଇଛି। ରାଜପଥ ପାଖରେ ଠିଆ ହୋଇଥିବା ଏକ ବିସ୍ଫୋରକ ଲଦେଇ କାର ସିଆରପି ଗାଡ଼ିକୁ ଧକ୍କା‌ ଦେଇଥିଲା। ଏହା ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସିଆର୍‌ପିର ଗୋଟିଏ ଗାଡ଼ି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଏଥିରେ ୩୯ ଜଣ ଯବାନ ଥିଲେ।

ଏହାସହିତ ଆଗପଛ ହୋଇ ଯାଉଥିବା ଅନେକ ଗାଡ଼ି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଯେଉଁ ଗାଡ଼ିକୁ ଆତ୍ମଘାତୀ କାର ଧକ୍କା ‌େଦଇଥିଲା ତାହା ସିଆରପିଏଫର ୭୬ ବଟାଲିଅନର ବୋଲି ଜଣାପଡ଼ିଛି।

ସିଆର୍‌ପିଏଫ୍‌ର ଏହି ଗାଡ଼ି ପଟୁଆର ଜମ୍ମୁରୁ କଶ୍ମୀର ଯାଉଥିଲା। ଗତ ତିନି ଦିନ ହେଲା ଏହି ରାଜପଥ ଖରାପ ପାଗ ଯୋଗୁଁ ବନ୍ଦ ରହିଥିଲା। ଫଳରେ ଏକ ସମୟରେ ଏତେ ଗାଡ଼ି ସବୁ ଏକାଠି ହୋଇ ଆଜି ବାହାରିଥିଲେ। ଭୋର ୩ଟାରେ ଜମ୍ମୁ ଛାଡ଼ିଥିବା ଏହି ଗାଡ଼ି ପଟୁଆର ସନ୍ଧ୍ୟା ପୂର୍ବରୁ କଶ୍ମୀରରେ ପହଂଚିବାର ଥିଲା। ତେବେ ଦିନ ୩ଟା ୨୦ ମିନିଟ‌େର ଏହା ଉପରେ ଆକ୍ରମଣ ହୋଇଥିଲା।

ଆକ୍ରମଣ ପାଇଁ ବ୍ୟବହୃତ କାରରେ ୩୭୦ କିଲୋ ଓଜନର ବିସ୍ଫୋରକ (ଆଇଇଡି) ଥିଲା ବୋଲି ଜଣାପଡ଼ିଛି। ଏହି କାରକୁ ଚଳାଉଥିଲା ଆଦିଲ୍‌ ଅହମ୍ମଦ ଡାର୍ ନାମକ ଜଣେ ଆତ୍ମଘାତୀ ଆତଙ୍କବାଦୀ। ଗତବର୍ଷ ‌େସ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏକ ବିସ୍ଫୋରକ ବୋଝେଇ ଭ୍ୟାନ୍‌ ନେଇ ସେ ବସ୍‌କୁ ଆକ୍ରମଣ କରିଥିଲା ଏବଂ ଏହାପରେ ଅନ୍ୟ ଆତଙ୍କବାଦୀମାନେ ସ୍ବୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲେ।

ଆହତ ଯବାନଙ୍କୁ ଅବନ୍ତିପୋରା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପ୍ରାୟ ୮ ଜଣ ଯବାନଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି ଏବଂ ମିଳିତ ସୁରକ୍ଷା ବାହିନୀର ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୁଲ୍‌ୱାମାରେ ଉପସ୍ଥିତ ସେନା, ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍‌ ଅବନ୍ତିପୋରା ଅଂଚଳରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏହା ସହିତ ସୋପିଆନ୍‌, କୁଲଗାମ ଏବଂ ଶ୍ରୀନଗର ଜିଲ୍ଲାରେ ମଧ୍ୟ ଶତାଧିକ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଛି । ଏହା ପୂର୍ବରୁ ଜୈସ ଆତଙ୍କବାଦୀ ପୁଲୱାମାର ପଂଜଗାମ୍‌ ସ୍ଥିତ ସିଆର୍‌ପିଏଫ୍‌ର ଏକ କ୍ୟାମ୍ପ୍‌ ଉପରେ ଗତ ବର୍ଷ ଫେବ୍ରୁଆରି ୯ ତାରିଖରେ ଆକ୍ରମଣ କରିଥିଲେ। ତେବେ ସତର୍କ ଯବାନଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଆକ୍ରମଣ ପଣ୍ଡ ହୋଇଥିଲା।

ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଆଦିଲ୍‌ ଅହମ୍ମଦ ଡାର୍ ନାମକ ଜଣେ ଆତ୍ମଘାତୀ ଆତଙ୍କବାଦୀ ସିଆର୍‌ପିଏଫ୍‌ ଉପରେ ବିସ୍ଫୋରକ ବୋଝେଇ ଭ୍ୟାନ୍‌ ନେଇ ଆକ୍ରମଣ କରିଥିଲା । ଆଦିଲ ପୁଲୱାମାର କାକାପୋରା ଅଂଚଳରେ ରହୁଥିବା ଏବଂ ତାକୁ ନିପାତ କରିବା ପାଇଁ କିଛିଦିନ ତଳେ ଅପରେସନ ଆରମ୍ଭ ହୋଇଥିଲା। ୩୦ରୁ ଅଧିକ ଆତଙ୍କବାଦୀ କାଣ୍ଡରେ ସଂପୃକ୍ତ ଆଦିଲ ୨୦୧୮ରେ ଜୈସରେ ସାମିଲ ହୋଇଥିଲା।

ସ୍କର୍ପିଓ କାର୍‌, ୩୫୦ କିଲୋ ବିସ୍ଫୋରକ

ସିଆର୍‌ପିଏଫ୍ ବସ୍‌କୁ ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିଲା ସ୍କର୍ପିଓ ଏସ୍‌ୟୁଭି
ଏଥିରେ ୩୫୦ କିଲୋଗ୍ରାମ ଓଜନର ବିସ୍ଫୋରକ ବୋଝେଇ ହୋଇଥିଲା
କାର୍‌ ଚଳାଉଥିଲା ଜୈସ ଆତଙ୍କବାଦୀ ଆଦିଲ ଅହମ୍ମଦ
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଦୋହଲି ଯାଇଥିଲା
ଭାରତ ଇତିହାସରେ କେବେ ବି ଏଭଳି ଆତ୍ମଘାତୀ କାର୍‌ ଆକ୍ରମଣ ହୋଇ ନଥିଲା
୨୦୦୧ରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆତ୍ମଘାତୀ କାର୍‌ ଆକ୍ରମଣ ହୋଇଥିଲା। ଏଥିରେ ୪୧ ଜଣ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର