ନୂଆଦିଲ୍ଲୀ : ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ୪୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁ ମୋଦନ ମିଳିବ। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଏହା ଅବଗତ କରିଛନ୍ତି। ବିଚାରପତି ନିଯୁକ୍ତିରେ ବିଳମ୍ବ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ପଡ଼ି ରହିଥିବା ସୁପାରିସଗୁଡ଼ିକୁ ତୁରନ୍ତ ସ୍ବୀକୃତି ଦେବାପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସରକାର ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ନକରି ଦେଶର ଆଇନକୁ ମାନିବାପାଇଁ କୋର୍ଟ କହିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ସୁପ୍ରିମକୋର୍ଟଙ୍କୁ ଆଶ୍ବସ୍ତ କରି କହିଛନ୍ତି ଯେ ସରକାର ସମୟସୀମାକୁ ପାଳନ କରିବେ। ବିଭିନ୍ନ ହାଇକୋର୍ଟ କଲେଜିୟମ ଦ୍ବାରା ସୁପାରିସ କରାଯାଇଥିବା ୧୦୪ ନାମ ମଧ୍ୟରୁ ସରକାର ୩ ଦିନ ମଧ୍ୟରେ ୪୪ ବିଚାରପତିଙ୍କ ନିଯୁକ୍ତିକୁ ସ୍ବୀକୃତି ଦେବେ ବୋଲି ଭେଙ୍କଟରମଣୀ କହିଛନ୍ତି। ତେବେ ୫ ଜଣ ବିଚାରପତିଙ୍କର ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଁ କଲେଜିୟମ କରିଥିବା ସୁପାରିସ ସଂକ୍ରାନ୍ତରେ ଜଷ୍ଟିସ ଏସକେ କୌଲ ଏବଂ ଏଏସ୍ ଓକା ସରକାରଙ୍କ ଶୀର୍ଷ ଆଇନ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଉକ୍ତ ପ୍ରସଙ୍ଗକୁ ନେଇ ମତଭେଦ ରହିଛି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ ଗତମାସରେ ରାଜସ୍ଥାନ ଏବଂ ପାଟନା ହାଇକୋର୍ଟର ୫ ଜଣ ବିଚାରପତିଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ଆସନ୍ତା ଫେବ୍ରୁଆରି ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।