ଲୁଧିଆନା: ପୁଅ ସହ ୧୦ମ ଶ୍ରେଣୀ ପରୀକ୍ଷା ଦେଲେ ୪୪ ବର୍ଷୀୟ ମାଆ

ଲୁଧିଆନା: ପଢ଼ା ଛାଡ଼ିବାର ବହୁତ ବର୍ଷ ପରେ ରଜନୀ ବଳ ପୁଣି ଥରେ ୪୪ ବର୍ଷୀୟ ୧୦ମ ଶ୍ରେଣୀ ଛାତ୍ରୀ ଭାବେ ସ୍କୁଲ୍‌କୁ ଫେରିଛନ୍ତି। ସେ ନିଜ ପୁଅ ସହ ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଏକ ସିଭିଲ୍‌ ହସ୍‌ପିଟାଲ୍‌ରେ ଓ୍ଵାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରୁଥିବା ରଜନୀ ପଢ଼ାପଢ଼ି ପାଇଁ ମାସେ ଛୁଟି ନେଇଛନ୍ତି।

ଏ ବୟସରେ ସ୍କୁଲ୍‌କୁ ଯିବା ସହଜ କଥା ନ ହେଲେ ମଧ୍ୟ ଏବେ ସେ ଜଣେ ସୁଖୀ ମହିଳା। ସେ କହନ୍ତି: ମୁଁ ଏକ ସିଭିଲ୍‌ ହସ୍‌ପିଟାଲ୍‌ରେ ଓ୍ଵାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରେ। ଭାବିଲି ମୁଁ ଦଶମ ଶ୍ରେଣୀ ପାସ୍‌ କରିବା ଉଚିତ। ପ୍ରଥମେ ପ୍ରଥମେ ମତେ ସ୍କୁଲ୍‌କୁ ଯିବାକୁ ଅଡୁଆ ଲାଗୁଥିଲା, କିନ୍ତୁ ଏବେ ମତେ ଖୁସୀ ଲାଗୁଛି।

ମିଳିଥିବା ସୁଯୋଗରେ ଖୁସି ହୋଇ ସେ ତାଙ୍କ ସ୍ୱାମୀଙ୍କୁ ସାବାସୀ ଦେଇ କହନ୍ତି କି, ମୋ ସ୍ୱାମୀ ମତେ ପଢ଼ିବାକୁ ପ୍ରେରଣା ଦେଲେ। ସେ ମତେ ବିଶ୍ୱାସ କରନ୍ତି। ତାଙ୍କର ମନେହୁଏ ଦୀର୍ଘ ବ୍ୟବଧାନ ପରେ ଯେଉଁମାନେ ପଢ଼ାପଢ଼ି କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ମୁଁ ପ୍ରେରଣା ସାଜିବି। ସେ ଆହୁରି ମଧ୍ୟ କହନ୍ତି ଯେ ପୁଅକୁ ଓ ତାଙ୍କୁ ପଢ଼ାଇବାକୁ ତାଙ୍କ ସ୍ୱାମୀ ଶୀଘ୍ର ଉଠନ୍ତି। ଝିଅ ମଧ୍ୟ ତାଙ୍କୁ ପଢ଼ିବାରେ ସାହାଯ୍ୟ କରନ୍ତି।

ରଜନୀ ୧୯୮୯ ମସିହାରେ ୯ମ ଶ୍ରେଣୀ ପାସ୍‌ କରିଥିଲେ କିନ୍ତୁ, ପାରିବାରିକ ସମସ୍ୟା ଯୋଗୁଁ ପଢ଼ା ଛାଡ଼ିଥିଲେ।

ତାଙ୍କୁ ବିଶେଷ ସମର୍ଥନ କରୁଥିବା ସ୍ୱାମୀ ରାଜ୍‌ କୁମାର ସାଥି କହନ୍ତି ବୟସ ବାଧକ ହେବା ଅନୁଚିତ। ସେ କହନ୍ତି: କେବେଠୁ ତାଙ୍କୁ କହିଲିଣି ୧୦ମ ପଢ଼ା ଶେଷ କରିବାକୁ। ମୁଁ ତାଙ୍କୁ କହେ ପଢ଼ା ପାଇଁ ବୟସ ବାଧକ ନୁହେଁ। ଏବେ ସେ ପୁଣି ପଢ଼ିଲେଣି। ସେ ପଢ଼ା ଚାଲୁ ରଖି ସ୍ନାତକ କରିବାକୁ ଆଗ୍ରହୀ।

ରଜନୀ କହନ୍ତି: ମୁଁ ପଢ଼ା ଚାଲୁ ରଖିବାକୁ ଚାହୁଁଛି। ହିନ୍ଦୀ କିମ୍ବା ଅନ୍ୟ ଯେ କୌଣସି ବିଷୟରେ ମୁଁ ସ୍ନାତକ କରିବି।

ସମ୍ବନ୍ଧିତ ଖବର