ଫେରିଆସୁଛନ୍ତି ବାଂଲାଦେଶୀ ନାଗରିକ, ସ୍ପଷ୍ଟ କଲା ବାଂଲାଦେଶର ସୀମା ସୁରକ୍ଷା ବାହିନୀ

ଗତ ୨ ମାସରେ ଗିରଫ ହୋଇଛନ୍ତି ୪୪୫

ଢାକା : ଆସାମରେ ଏନଆରସି ଲାଗୁହେବା ଓ ଗତ ମାସରେ ଦେଶରେ ନାଗରିକତା (ସଂଶୋଧନ) ଆଇନ ଲାଗୁହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେମାନେ ଦଳ ଦଳ କରି ନିଜ ଦେଶକୁ ଫେରିଯାଉଛନ୍ତି । ଗତ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୪୪୫ ଜଣ ବାଂଲାଦେଶୀ ଫେରିଯାଇଥିବା ବର୍ଡର ଗାର୍ଡ୍ସ ବାଂଲାଦେଶ (ବିଜିବି)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ସଇଫୁନିଲ ଇସଲାମ କହିଛନ୍ତି ।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ୨୦୧୯ରେ ଭାରତରୁ ଫେରୁଥିବା ପ୍ରାୟ ୧୦୦୦ ବାଂଲାଦେଶୀଙ୍କୁ ବିଜିବିପକ୍ଷରୁ ଗିରଫ କରାଯାଇଛି । କେବଳ ନଭେମ୍ବର ଓ ଡିସେମ୍ବର ମାସରେ ୪୪୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ସେମାନେ ବାଂଲାଦେଶର ନାଗରିକ ଓ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିଲେ । ଗତ ମାସରେ ଭାରତ ଗସ୍ତରେ ଆସିଥିବା ସଇଫୁନିଲ କହିଥିଲେ ଯେ ଏନଆରସି ଓ ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ।

ଗତ ମାସରେ ବିବିସି ପକ୍ଷରୁ ଏହି ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ ଭାରତର ବିଭିନ୍ନ ରାଜ୍ୟରେ କର୍ମସଂସ୍ଥାନ ପାଇଁ ବାଂଲାଦେଶୀମାନେ ବେଆଇନ ଭାବେ ଅନୁପ୍ରବେଶ କରୁଛନ୍ତି । ଗତ କିଛି ଦଶନ୍ଧୀ ଧରି ଏହି ଧାରା ବଜାୟ ରହିଛି । କିନ୍ତୁ ଗତବର୍ଷ ଆସାମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର ଲାଗୁହେବା ପରେ ବେଆଇନ ବାଂଲାଦେଶୀ ଶରଣାର୍ଥୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନିକଟରେ ନୂଆ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ସେମାନଙ୍କ ଭୟ ଅନେକ ବଢିଯାଇଛି । ସେମାନେ ଭାରତରେ ରହିବାକୁ ଆଉ ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ସେମାନେ ଦଳ ଦଳ ହୋଇ ବାଂଲାଦେଶକୁ ଫେରିଯାଉଛନ୍ତି ।

ସମ୍ବନ୍ଧିତ ଖବର