ନୂଆଦିଲ୍ଲୀ : ଓଡିଶାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ୪୪୫ଟି ମାମଲା ବିଚାରଯୋଗ୍ୟ। ଆମିକସକ୍ୟୁରି ବିଜୟ ହଂସାରିଆଙ୍କ ଦ୍ୱାରା ଆଜି ସୁପ୍ରିମକୋର୍ଟରେ ଦାଖଲ କରିଥିବା ୨୭ ପୃଷ୍ଠାର ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଏହି ୪୪୫ଟି ମାମଲା ମଧ୍ୟରୁ ୭୭ଟି ମାମଲା ସେସନକୋର୍ଟରେ ବିଚାରାଧୀନ ଥିବାବେଳେ ୩୬୮ଟି ମାମଲା ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ରହିଛି।
ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆସିକସ୍ କ୍ୟୁରି ଶ୍ରୀ ହଂସାରିଆ ଦର୍ଶାଇଛନ୍ତି , ଓଡିଶାରେ ସାଂସଦ ଓ ବିଧାୟକମାନଙ୍କର ବିରୋଧରେ ଅପରାଧିକ ମାମଲାର ଶୁଣାଣି ପାଇଁ ୪ଟି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ବରରେ ୨ଟି ସ୍ବତନ୍ତ୍ର କୋର୍ଟ ଥିବାବେଳେ ବ୍ରହ୍ମପୁରରେ ଗୋଟିଏ ଓ ଅନ୍ୟଟି ସୁନ୍ଦରଗଡ଼ରେ ପ୍ରତିଷ୍ଠା କରାଯାଇଛି। ଏଥିସହିତ ବରଗଡ଼ରେ ବି ଏକ ସେସନ୍ସ୍ତରୀୟ କୋର୍ଟ ପ୍ରତିଷ୍ଠା କରାଯିବ। ଏହି ସ୍ବତନ୍ତ୍ର କୋର୍ଟ ମାନଙ୍କରେ ୧୧ ଜଣ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ପଦନ୍ନୋତି କରାଯିବାର ପ୍ରସ୍ତାବ ରହିଛି। ପ୍ରତ୍ୟେକ ସ୍ବତନ୍ତ୍ର କୋର୍ଟରେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ନିୟୋଜିତ କରାଯିବ। ଏଥିସହିତ ସାକ୍ଷ୍ୟମାନଙ୍କ ପାଇଁ ସେଫ୍ଟି ରୁମ୍ର ବ୍ୟବସ୍ଥା ମଧ୍ୟ ରହିବ। ଜଣେ ଅତିରିକ୍ତ ପୋଲିସ ଅଧିକ୍ଷକ ନୋଡାଲ ପ୍ରସିକ୍ୟୁସନ ଅଧିକାରୀ ଭାବେ ନିଯୁକ୍ତି ପାଇବେ। ପ୍ରତ୍ୟେକ ସ୍ବତନ୍ତ୍ର କୋର୍ଟ ପ୍ରତିମାସରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ଏହି ରିପୋର୍ଟକୁ ହାଇକୋର୍ଟର ମୁଖ୍ୟ ବିଚାରପତି ବିଚାର କରିବେ ବୋଲି ଆମିକସକ୍ୟୁରି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମାମଲା ଗୁଡିକର ତ୍ବରିତ୍ ବିଚାର ପାଇଁ ଯେଉଁଠାରେ ସ୍ବତନ୍ତ୍ର କୋର୍ଟ ରହିଛି, ସେଠିକାର ଜିଲ୍ଲା ବିଚାରପତିମାନେ ପ୍ରତ୍ୟେକ ୧୫ ଦିନରେ ସ୍ବତନ୍ତ୍ର ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିବେ ବୋଲି ରିପୋର୍ଟରେ କୁହାଯାଇଛି।
ସ୍ମରଣଯୋଗ୍ୟ, ଗତ ମାସ ୯ ତାରିଖରେ ଆମିକସକ୍ୟୁରୀଙ୍କ ଦ୍ବାରା ସର୍ବୋଚ୍ଚ ନ୍ୟାୟ୍ୟାଳୟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟରେ ଓଡିଶାରେ ଜନ ପ୍ରତିନିଧିଙ୍କ ବିରୋଧରେ ମୋଟ ୩୩୧ଟି ଅପରାଧିକ ମାମଲା ବିଚାରାଧୀନ ଥିବା ଦର୍ଶାଯାଇଥିଲା। ଏଥିସହିତ, ଅପରାଧିକ ମାମଲାର ବିଚାର ପାଇଁ ଓଡିଶାରେ କୌଣସି ସ୍ବତନ୍ତ୍ର କୋର୍ଟ ନଥିବାର ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହାପରେ ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ଓଡିଶା ପ୍ରସଙ୍ଗରେ ଆମିକସକ୍ୟୁରିଙ୍କ ଦ୍ବାରା ତ୍ରୁଟିପୂର୍ଣ୍ଣ ଦସ୍ତାବିଜ ଦାଖଲ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କ ବିଚାରପତି ଏନ ଭି ରାମନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଦୃଷ୍ଟି ଆକର୍ଷଣ କରିଥିଲେ। ବାସ୍ତବରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଅପରାଧିକ ମାମଲାର ବିଚାର ପାଇଁ ରାଜ୍ୟରେ ଚାରିଟି ସ୍ବତନ୍ତ୍ର କୋର୍ଟ କାର୍ଯ୍ୟ କରୁଥିବା ନେଇ ସେ ତଥ୍ୟ ଖଣ୍ଡପୀଠଙ୍କର ସାମ୍ନାକୁ ଆଣିଥିଲେ। ଆମିକସକ୍ୟୁରିଙ୍କ ଦ୍ବାରା ଆଜି ଦାଖଲ କରାଯାଇଥିବା ସତ୍ୟପାଠରେ ଏହି ତଥ୍ୟକୁ ସାମିଲ କରାଯାଇଛି।
ଆଜି ସୁପ୍ରିମକୋର୍ଟର ଆମିକସକ୍ୟୁରିଙ୍କ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟରେ ସାଂସଦ ଓ ବିଧାୟକମାନଙ୍କର ବିରୋଧରେ ଓଡିଶା ସମେତ ଦେଶର ୨୮ଟି ରାଜ୍ୟରେ ତଥା ଛଅଟି କେନ୍ଦ୍ର ଶାସିତ ଅଞ୍ଚଳରେ ସର୍ବମୋଟ ୪୮୫୯ ଅପରାଧିକ ମାମଲା ବିଚାରାଧୀନ ଥିବାର ଉଲ୍ଲେଖ କରାଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୩୭୪ଟି ବିହାରରେ ୫୫୭ଟି ମାମଲା ରହିଛି। ଓଡିଶା ସାଂସଦ ଓ ବିଧାୟକମାନଙ୍କର ବିରୋଧରେ ଅପରାଧିକ ମାମଲାରେ ୪୪୫ ସଂଖ୍ୟା ସହ ଦେଶରେ ତୃତୀୟ ସ୍ଥାନରେ ରହିଛି। ଗତ ମାର୍ଚ୍ଚ ମାସରେ ଆମିକସକ୍ୟୁରି ମଧ୍ୟ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଦେଶରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଅପରାଧିକ ମାମଲାରେ ବୃଦ୍ଧି ହୋଇଥିବା ଦର୍ଶାଇଥିଲେ।