ଦିନକରେ କରୋନା ନେଲା ୪୪୫ ମୁଣ୍ଡ, ମାମଲା ୪ ଲକ୍ଷ ୨୫ ହଜାର ଟପିଲା

୬୯ ଲକ୍ଷ ୫୦ ହଜାରରୁ ଅଧିକ ଟେଷ୍ଟ୍‌ ସରିଛି, ତାମିଲନାଡ଼ୁକୁ ଟପିଗଲା ଦିଲ୍ଲୀ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା‌ରେ ୪୪୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ହଜାର ୮୨୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ମାମଲା ୪ ଲକ୍ଷ ୨୫ ହଜାର ଟପିଯାଇଛି। ଏଥିସହ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୬୯୯‌ରେ ପହଞ୍ଚିଛି। ଦେଶରେ ଏବେ ସକ୍ରିୟ ମାମଲା ୧ ଲକ୍ଷ ୭୪ ହଜାର ୩୮୭ ରହିଛି ଏବଂ ୨ ଲକ୍ଷ ୩୭ ହଜାର ୧୯୬ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟା‌ ମଧ୍ୟରେ ୯,୪୪୦ ଜଣ ଆରୋଗ୍ୟ ହୋଇଛନ୍ତି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଦେଶରେ ଆରୋଗ୍ୟ ହାର ୫୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୧୧ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହୁଛି। ଏଯାବତ୍‌ ଦେଶରେ ୬୯ ଲକ୍ଷ ୫୦ ହଜାର ୪୯୩ ନମୁନା ପରୀକ୍ଷା ସରିଛି। ‌‌ତେବେ ଗତ ୨୪ ଘଣ୍ଟା‌ ମଧ୍ୟରେ ୧ ଲକ୍ଷ ୪୩ ହଜାର ୨୬୭ ଟେଷ୍ଟ୍‌ ହୋଇଛି ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି।

ଲଗାତାର ୩ ଦିନ ଧରି ଦିଲ୍ଲୀରେ ସଂକ୍ରମଣ ମାମଲା ୩ ହଜାରରୁ ଅଧିକ ରହୁଛି। ଦିଲ୍ଲୀ ସହର ଗତକାଲି ସଂକ୍ରମଣ ମାମଲାରେ ତାମିଲନାଡ଼ୁକୁ ଟପିଯାଇଛି। ଦିଲ୍ଲୀରେ ମୋଟ୍‌ ସଂକ୍ରମଣ ମାମଲା ୫୯ ହଜାର ୭୯୪ରେ ପହଞ୍ଚିଛି ଏବଂ ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୫୯ ହଜାର ୩୭୭ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ୧୮ ହଜାର ୫୬୪ ନୂଆ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ଅନ୍ୟପକ୍ଷେ ମୁମ୍ବାଇରେ ମୋଟ୍‌ ମାମଲା ୬୬ ହଜାର ୫୦୦ରେ ପହଞ୍ଚିଥିଲେ ମଧ୍ୟ ଗତ କିଛି ଦିନ ଧରି ମୁମ୍ବାଇରେ ସଂକ୍ରମଣ ମାମଲା କମିଛି। ଗତ ଗୋଟିଏ ସପ୍ତାହରେ ମୁମ୍ବାଇ ମାତ୍ର ୮ ହଜାର ନୂଆ ମାମଲା ଯୋଡ଼ିଛି। ତେବେ ଦିଲ୍ଲୀରେ ସଂକ୍ରମଣ ବଢ଼ିଯାଇଥିବାରୁ ଆଉ ମାତ୍ର କିଛିଦିନ ମଧ୍ୟରେ ଏହା ମୁମ୍ବାଇକୁ ଟପିଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର