ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ନୂଆ ସଂସଦ ଭବନର ସୁରକ୍ଷାର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମଗ୍ର ପରିସରର ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ (ସୁରକ୍ଷା) ପଦବୀ ଗତ ୪୫ ଦିନ ହେଲା ଖାଲି ପଡ଼ିଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରଘୁବୀର ଲାଲଙ୍କୁ ନଭେମ୍ବର ପ୍ରଥମ ସପ୍ତାହରେ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ଭାବେ ତାଙ୍କ ରାଜ୍ୟକୁ ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଏହାପରେ ଜଣେ ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀ ଅସ୍ଥାୟୀ ଭାବେ ଏହି ପଦବୀରେ କାର୍ଯ୍ୟ କରୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସଂସଦର ସୁରକ୍ଷା ପ୍ରତିଷ୍ଠାନରେ ପ୍ରାୟ ୪୦ ପ୍ରତିଶତ କର୍ମଚାରୀ ଅଭାବ ରହିଛି, ଯାହାର ବର୍ତ୍ତମାନ ସଂଖ୍ୟା ୨୩୦ ରହିଛି। ଦୁଇ ଜଣ ଅନୁପ୍ରବେଶକାରୀ ସାଗର ଶର୍ମା ଓ ମନୋରଂଜନ ଡି ଯେତେବେଳେ ଲୋକସଭା ଭିତରେ ଗ୍ୟାସ କାନିଷ୍ଟର ଖୋଲିଥିଲେ, ସେତେବେଳେ ଧୂଆଁ ଆଲାର୍ମ ସକ୍ରିୟ ହୋଇନଥିଲା। ନୂଆ ସଂସଦ ଭବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବିଶେଷ ଧ୍ୟାନ ଦେଇ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ କୌଣସି ପ୍ରଯୁକ୍ତି ବିଦ୍ୟା ମାନବ ସମ୍ବଳର ବିକଳ୍ପ ହୋଇପାରିବ ନାହିଁ ବୋଲି ଅଧିକାରୀମାନେ ମତ ରଖିଛନ୍ତି। ସଂସଦ ପରିସରର ବାର୍ଷିକ ବଜେଟରେ ପ୍ରାୟ ୩୦ କୋଟି ଟଙ୍କା ହ୍ରାସକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସୁରକ୍ଷା ଉଲ୍ଲଂଘନ ପରେ ଭିଜିଟର୍ ପାସ୍ ପ୍ରଦାନ ବନ୍ଦ ହୋଇଥିଲେ ହେଁ ସାଂସଦଙ୍କ କର୍ମଚାରୀଙ୍କ ଯାତାୟାତକୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିନାହିଁ।