ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : କାରଖାନାରେ ନିଆଁ ଲାଗି ୪୫ ମୃତ, ୭୦ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡରେ ୪୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଭୋର୍‌ ୫ଟା ବେଳେ ଏକ ୪ ମହଲା ବିଶିଷ୍ଟ କୋଠାରେ ଅସୁରକ୍ଷିତ ଭାବେ ଚାଲିଥିବା କାରଖାନାରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଅଗ୍ନିକାଣ୍ଡ ବେଳେ ଏହି କୋଠାରେ ଅଧିକାଂଶ ଲୋକ ଶୋଇଥିବାରୁ ସେମାନେ ଜଳି ଯାଇ ଏବଂ ଧୂଆଁରେ ଅଣନିଃଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ସଫଦରଜଙ୍ଗ, ରାମ ମନୋହର ଲୋହିୟା ଏବଂ ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ଅନେକ ଆହତ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦମକଳ ବାହିନୀର ୩୦ଟି ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି ଏବଂ ଉଦ୍ଧାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହୋଇଛି।

ଅଗ୍ନିକାଣ୍ଡ ଘଟିଥିବା କୋଠାରେ ଅନେକ ଛୋଟ ଛୋଟ କାରଖାନା ଚାଲିଥିଲା। ସେଠାରେ ପ୍ୟାକେଜିଂ ଏବଂ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଆଦି ତିଆରି ହେଉଥିଲା। କାମ କରୁଥିବା ଅଧିକାଂଶ ଲୋକ ଏହି କୋଠାରେ ହିଁ ରାତିରେ ରହୁଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଏବଂ ସେମାନେ ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି।

ଏହି କୋଠାରେ ପ୍ଲାଷ୍ଟିକ୍‌ ସାମଗ୍ରୀ ବିପୁଳ ପରିମାଣରେ ରହିଥିବାରୁ ନିଆଁ ତୁରନ୍ତ ବ୍ୟାପୀ ଯାଇଥିଲା ଏବଂ ଭୟଙ୍କର ଧୂଆଁ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଲୋକଙ୍କ ଉଦ୍ଧାର କରିବା ସହ ଚିକିତ୍ସା ଓ ଅନ୍ୟ ସହାୟତା ପ୍ରଦାନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ କରାଯାଇଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବାକୁ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ ମଧ୍ୟ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା ହୋଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମୃତ ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲୋଖାଏଁ ସହାୟତା ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ରାଜସ୍ବ ମନ୍ତ୍ରୀ କୈଳାସ ଗେହଲଟ କହିଛନ୍ତି।

ଅନାଜ ମଣ୍ଡିର ୪ ମହଲା କୋଠାରେ ବେଆଇନ ଭାବେ କାରଖାନା ଚଳାଇଥିବା ମାଲିକ ରେହାନ ଏବଂ ମ୍ୟାନେଜର୍‌ ଫୁର୍‌କାନଙ୍କୁ ପୁଲିସ ଆଜି ସନ୍ଧ୍ୟାରେ ଗିରଫ କରିଛି। ଘଟଣା ପରେ ସେମାନେ ଫେରାର ହୋଇଯିବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିବା ସହ ଆଇପିସିର ଧାରା ୩୦୪ ଏବଂ ୨୫୮ରେ ମାମଲା ରୁଜୁ କରିଛି। ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ୧୦ ବର୍ଷ ଜେଲ୍‌ କିମ୍ବା ଆଜୀବନ କାରାଦଣ୍ଡ ମିଳିବ। ପୁରୁଣା ଦିଲ୍ଲୀର ଫିଲ୍ମିସ୍ତାନ ଅଂଚଳର ଅନାଜ ମଣ୍ଡିରେ ବେଆଇନ ଭାବେ ଅନେକ କାରଖାନା ଚାଲିଛି।

ସମ୍ବନ୍ଧିତ ଖବର