ହରିଦ୍ୱାର: ବୁଧବାର ଶେଷ ହୋଇଥିବା କାଉଡ଼ି ଯାତ୍ରା ପରେ ହରିଦ୍ବାରରେ ୭,୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ପଡ଼ିଥିବା ଦେଖିବାକୁ ମିଳିଛି। ହରିଦ୍ୱାରର ହର୍-କି-ପୌଡ଼ି ଓ ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୪.୫ କୋଟି ତୀର୍ଥଯାତ୍ରୀ ସହରକୁ ଆସିଛନ୍ତି- ଯାହା କି ଗତବର୍ଷ ୪.୨ କୋଟି ଥିଲା। ହରିଦ୍ୱାର ନଗର ନିଗମ ମ୍ୟୁନିସିପାଲିଟି କମିସନର ନନ୍ଦନ କୁମାର କହିଛନ୍ତି ଯେ ପ୍ରାୟ ୧୦୦୦ ସଫେଇ କର୍ମଚାରୀ ମୁତୟନ ହେବା ଓ ଡ୍ରୋନ୍ ସର୍ଭେଲାନ୍ସ ସତ୍ତ୍ୱେ ଗତବର୍ଷ ତୁଳନାରେ ଆବର୍ଜନା ସାମାନ୍ୟ ଅଧିକ ଥିଲା।
ସ୍ଥାନୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ସ୍ୱଚ୍ଛତା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଅଧିକାଂଶ ବାସିନ୍ଦା ସନ୍ଦେହରେ ଅଛନ୍ତି। କିଛି ଲୋକ ଗଙ୍ଗାଘାଟ, ନଦୀକୂଳ, ପାର୍କିଂ ସ୍ଥଳ, କାଉଡ଼ି ମାର୍ଗ ଓ ରାଜପଥ କଡ଼ରେ ଅଳିଆ ଗଦା ଥିବା ଦର୍ଶାଇଥିଲେ। ପୂର୍ବତନ ମ୍ୟୁନିସିପାଲିଟି କାଉନସିଲର ଦିନେଶ ଯୋଶୀ କହିଛନ୍ତି, ପ୍ଲାଷ୍ଟିକ୍ ସିଟ୍, ପଲିଥିନ ବ୍ୟାଗ୍, ପ୍ଲେଟ୍ ଓ କପ୍, ଏପରିକି କାଉଡ଼ିଆଙ୍କ ଦ୍ୱାରା ଫିଙ୍ଗି ଦିଆଯାଇଥିବା ପୋଷାକ ସବୁଆଡ଼େ ଏଣେତେଣେ ପଡ଼ିଛି। ପ୍ରତିବର୍ଷ ଆବର୍ଜନା, ଟ୍ରାଫିକ୍ ଜାମ୍ ଓ ଶବ୍ଦ ପ୍ରଦୂଷଣ ଆମ ସମସ୍ୟା ବଢ଼ାଇ ଚାଲିଛି ବୋଲି ସେ କହିଛନ୍ତି।