ଦେଶରେ ୪୫ ପ୍ରତିଶତ ଓବିସି ଛାତ୍ର

ତାମିଲନାଡ଼ୁରେ ୭୧ ପ୍ରତିଶତ, ଓଡ଼ିଶାରେ ୩୬ ପ୍ରତିଶତ

ନୂଆଦିଲ୍ଲୀ : ‌କେନ୍ଦ୍ର ସରକାର ଗତକାଲି ମେଡିକାଲ ପାଠ୍ୟକ୍ରମ ପାଇଁ ନାମଲେଖାରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି। ସର୍ବ ଭାରତୀୟ କୋଟାରୁ ଏମବିବିଏସ, ବିଡିଏସ, ପିଜି ଏବଂ ଡିପ୍ଲୋମା ଆଦି ପାଠ୍ୟକ୍ରମରେ ନାମଲେଖା ବେଳେ ଛାତ୍ରଛାତ୍ରୀମାନେ ଏହି ସୁବିଧା ଚଳିତବର୍ଷରୁ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ଦେଶରେ କେତେ ପ୍ରତିଶତ ଓବିସି ଅଛନ୍ତି ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏ ନେଇ କୌଣସି ବାସ୍ତବ ତଥ୍ୟ ନଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ତଥ୍ୟ ଉପଲବ୍ଧ ରହିଛି। ସର୍ବ ଭାରତୀୟ ସ୍ତରରେ ପ୍ରାଥମିକ ବିଦ୍ୟାଳୟରେ ୪୫ ପ୍ରତିଶତ ଓବିସି ପିଲା ନାମ ଲେଖାଇଥିବା ବେଳେ ଏସ୍‌ସି ୧୯ ପ୍ରତିଶତ ଏବଂ ଏସ୍‌ଟି ୧୧ ପ୍ରତିଶତ ରହିଛନ୍ତି। ଅବଶିଷ୍ଟ ୨୫ ପ୍ରତିଶତ ଅନ୍ୟାନ୍ୟ ଜାତିର ଅଛନ୍ତି। ଉକ୍ତ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧ ଧର୍ମକୁ ବାଦ୍‌ଦେଲେ ହିନ୍ଦୁ ଓ ଅନ୍ୟ ଧର୍ମର ଉଚ୍ଚଜାତିର ପିଲା ରହିଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୦୦ ପ୍ରତିଶତ ପିଲା ନାମ ଲେଖାଉଥିବାର ଦେଶର ଜାତିଭିତ୍ତିକ ଲୋକସଂଖ୍ୟାର ଏହା ପ୍ରତିଫଳନ ହୋଇପାରେ ବୋଲି ଆଶା କରାଯାଇପାରେ।

ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁରେ ସର୍ବାଧିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ଓବିସି ବର୍ଗର ହୋଇଥିବାବେଳେ କେରଳରେ ୬୯ ପ୍ରତିଶତ, କର୍ଣ୍ଣାଟକରେ ୬୨ ପ୍ରତିଶତ, ବିହାରରେ ୬୧ ପ୍ରତିଶତ ଓବିସି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାରେ କିନ୍ତୁ ୩୬ ପ୍ରତିଶତ ଓବିସି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଶିକ୍ଷା ସଂପର୍କିତ ତଥ୍ୟରୁ ଜଣାଯାଇଛି। ଓଡ଼ିଶାରେ ୧୫ ପ୍ରତିଶତ ଛାତ୍ରଛାତୀ ସାଧାରଣ ବର୍ଗର ହୋଇଥିବାବେଳେ ୧୯ ପ୍ରତିଶତ ଏସ୍‌ସି ଏବଂ ୩୦ ପ୍ରତିଶତ ଏସ୍‌ଟି ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ସର୍ବଭାରତୀୟ ସ୍ତରରେ ୨୫ ପ୍ରତିଶତ ସାଧାରଣ ବର୍ଗର, ୧୯ ପ୍ରତିଶତ ଏସ୍‌ସି ଏବଂ ୧୧ ପ୍ରତିଶତ ଏସଟି ବର୍ଗର ଛାତ୍ରଛାତ୍ରୀ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର