କଳା ଏପ୍ରିଲ: ମାସକରେ ଗଲାଣି ୪୫ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି | କରୋନା କରାଳ ରୂପ ଭାରତରେ ଏବେ ଦେଖିବାକୁ ମିଳିଛି | ମହାମାରୀ ଏବେ ମୃତ୍ୟୁର ବିଭୀଷିକା ରଚାଇଥିବାବେଳେ ମାସକ ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ନେଲାଣି | ଏପ୍ରିଲ ମାସର ପରିସଂଖ୍ୟାନକୁ ନଜର କଲେ କେବଳ ଏପ୍ରିଲ ମାସରେ ୪୫ ହଜାର ଲୋକଙ୍କ ଜୀବନ ଚାଲିଯାଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷକୁ ବୃଦ୍ଧି ପାଇଛି |

ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢ଼ିଥିବାବେଳେ ଶଯ୍ୟାର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି | ଏପ୍ରିଲ ୧ରେ କରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୨ ହଜାର ୧୧୫ ଥିବାବେଳେ ସମୁଦାୟ ୧ ଲକ୍ଷ ୬୩ ହଜାର ୪୨୮ ଜଣଙ୍କର ମୃତ୍ୟୁ ହୋଇଥିଲା | ଆଉ ସେତେବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୧୦ ହଜାର ୯୨୯ ଥିଲା |

ଆଉ ଆଜି ଅର୍ଥାତ ଏପ୍ରିଲ ୩୦କୁ ଆକଳନ କଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୫୪ ହଜାର ୯୮୪ ଥିବାବେଳେ ୨ ଲକ୍ଷ ୮ ହଜାର ୩୧୩ ଜଣଙ୍କର ମୃତ୍ୟୁ ହୋଇଛି | ସେହିପରି ୩୧ ଲକ୍ଷ ୬୪ ହଜାର ୮୨୫ ଟି ସକ୍ରିୟ ମାମଲା ରହିଛି | ଏପ୍ରିଲ ମାସରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଥିବାବେଳେ ମେଡିକାଲରେ ବେଡ଼ ମିଳିବାରେ ଅସୁବିଧା ହେଉଛି |

ସମ୍ବନ୍ଧିତ ଖବର