ନୂଆଦିଲ୍ଲୀ: ପାକିସ୍ତାନ ସୀମା ନିକଟବର୍ତ୍ତୀ ଯୋଦ୍ଧପୁରରେ ଚୁଡ଼ି, ମଣି ଏବଂ ମାଟି ପାତ୍ର ଭଳି କିଛି ସାମଗ୍ରୀ ପ୍ରତ୍ନତତ୍ତ୍ୱବିତମାନଙ୍କୁ ମିଳିଛି। ଏହି ଜିନିଷଗୁଡ଼ିକ ଭାରତ-ପାକିସ୍ତାନ ସଭ୍ୟତାର ସହଭାଗୀ ଐତିହ୍ୟ ବିଷୟରେ ସାକ୍ଷ୍ୟ ଦେଉଛି।
ରାଜସ୍ଥାନର ଜୈସଲମେର ଜିଲ୍ଲାର ରତାଡିଆ ରି ଡେରିରେ ଭାରତୀୟ ପ୍ରତ୍ନତତ୍ତ୍ୱବିତମାନେ ୪୫୦୦ବର୍ଷ ପୁରୁଣା ହରପ୍ପା ସ୍ଥାନର ପ୍ରମାଣ ପାଇଛନ୍ତି। ଏହିସ୍ଥାନ ରାମଗଡ଼ ତହସିଲରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ବେଳେ ପାକିସ୍ତାନ ସୀମା ନିକଟବର୍ତ୍ତୀ ସାଦେୱାଲା ଗ୍ରାମରୁ ୧୭କିଲୋମିଟର ଦୂରରେ ଅବସ୍ଥିତ।
ଏହି ଆବିଷ୍କାର ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ଭାରତୀୟ ସଂସ୍କୃତି ବିଭାଗର ଗବେଷକ ଦିଲୀପ କୁମାର ସାଇନି, ଇତିହାସକାର ପାର୍ଥ ଜଗାନି, ରାଜସ୍ଥାନ ବିଦ୍ୟାପୀଠ, ଉଦୟପୁରର ପ୍ରଫେସର ଜୀବନ ସିଂହ ଖାରୱାଲ ଏବଂ ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ତାମେଘ ପନୱାର ଏବଂ ଡକ୍ଟର ରବିନ୍ଦ୍ର ସିଂହ ଜାମ ଏବଂ ରାମଗଡ଼ର ପ୍ରଦୀପ କୁମାର ଗର୍ଗ କରିଛନ୍ତି। ଏହି ଆବିଷ୍କାର ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ସାଇନ୍ସରେ ପ୍ରକାଶିତ ପାଇଛି।
ଥର ମରୁଭୂମିରେ ପ୍ରଥମ ଥର ପାଇଁ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ ମିଳିଛି। ଏଠାରେ କିଛି ପୁରୁଣା ଜିନିଷ ମିଳିଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ଲାଲ ଏବଂ ଗହମ ରଙ୍ଗର ମାଟି ପାତ୍ର ରହିଛି। ଏହି ମାଟି ପାତ୍ରଗୁଡ଼ିକ ହାତରେ ତିଆରି ହୋଇଥିବା ବେଳେ ତା’ଉପରେ ଜ୍ୟାମିତିକ ଚିତ୍ର ଅଙ୍କା ଯାଇଛି। କିଛି ପଥର ବ୍ଲେଡ୍ ମଧ୍ୟ ମିଳିଛି।
ପ୍ରତ୍ନତତ୍ତ୍ୱବିତଙ୍କ ଅନୁଯାୟୀ, ରତାଡିଆ ରି ଡେରୀରୁ ମଳିଥିବା ବ୍ଲେଡ୍ ରୋହରି (ପାକିସ୍ତାନ)ରୁ ଅଣାଯାଇଥିବା ଚର୍ଟ ପଥରରେ ତିଆରି ହୋଇଛି। ଘଟଣାସ୍ଥଳରୁ ମାଟି ଏବଂ ଶଙ୍ଖରେ ତିଆରି ଚୁଡ଼ି ମଧ୍ୟ ମିଳିଛି।କିଛି ଚୁଡ଼ି ଭାଙ୍ଗି ଯାଇ ବିଛେଇ ହୋଇପଡ଼ିଛି।
କେବଳ ଏତିକି ନୁହେଁ କିଛି ତ୍ରିକୋଣୀୟ, ଗୋଲାକାର ଏବଂ ଇଡଲି ଆକୃତିର ଟେରାକୋଟା କେକ୍ ମଧ୍ୟ ମିଳିଛି। ଟେରାକୋଟା କେକ୍ ଅର୍ଥ ମାଟିରେ ତିଆରି ସାମଗ୍ରୀ।
ହରପ୍ପା ସଭ୍ୟତାକୁ ଭାରତର ସବୁଠାରୁ ବିକଶିତ ସଭ୍ୟତା ବୋଲି ବିବେଚନା କରାଯାଏ। ପୂର୍ବରୁ ଏହାକୁ ସିନ୍ଧୁ ଉପତ୍ୟକା ସଭ୍ୟତା କୁହାଯାଉଥିଲା, ଯାହା ସିନ୍ଧୁ ନଦୀ ଉପରେ ଆଧାରିତ ଥିଲା। ପରେ ହରପ୍ପା ସ୍ଥାନର ନାମ ଅନୁସାରେ ଏହାକୁ ହରପ୍ପା ସଭ୍ୟତା ନାମ ଦିଆଯାଇଥିଲା।