ରାଞ୍ଚି : ଝାଡ଼ଖଣ୍ଡରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସମ୍ପନ୍ନ ହୋଇଛି। ତେବେ ନିର୍ବାଚନୀ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡରେ ପହଞ୍ଚିବାକୁ ଥିବା ମତଦାନ କର୍ମୀ ଗତକାଲି ଭୁଲ୍‌ରେ ଛତିଶଗଡ଼ରେ ପହଞ୍ଚିଥିଲେ। ସେମାନଙ୍କୁ ବାୟୁସେନା ହେଲିକପ୍ଟର ଭୁଲ୍‌ରେ ଛତିଶଗଡ଼ ପହଞ୍ଚାଇଥିଲା। ଲତେହର ଜିଲ୍ଲା ପ୍ରଶାସନ ଗତକାଲି ୯ଟି ପୋଲିଂ ପାର୍ଟିର ୧୮ ଜଣ ସଦସ୍ୟଙ୍କୁ ମଣିକା ନିର୍ବାଚନ ମଣ୍ଡଳୀର ଚାତକପୁର କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଆଜି ନିର୍ବା‌ଚନ ଥିଲା। ଏହି ୧୮ ଜଣଙ୍କ ମଧ୍ୟରୁ ୮ ଜଣ ଲତେହର ସ୍ଥିତ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ଏକ ହେଲିପ୍ୟାଡ୍‌ରୁ ଉଡ଼ାଣ ଆରମ୍ଭ କରିଥିଲେ। ତେବେ ସେମାନଙ୍କୁ ଚାତକପୁର ପରିବର୍ତ୍ତେ ଛତିଶଗଡ଼ର ସୁରଜପୁର ଜିଲ୍ଲା ନିକଟସ୍ଥ ପ୍ରତାପପୁର ଭାଇଁସାମୁଣ୍ଡା ଅଞ୍ଚଳର ସତିପଡ଼ା ପଡ଼ିଆରେ ଓହ୍ଲାଇ ଦିଆଯାଇଥିଲା। ପୋଲିଂ ଟିମ୍‌ ଭୁଲ୍‌ ସ୍ଥାନରେ ପହଞ୍ଚିଥିବା ଜାଣିପାରି ଲତେହର ଡେପୁଟି କମିସନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ। ଏହାପରେ ଏକ ଟିମ୍‌ ଯାଇ ଅଧିକାରୀମାନଙ୍କୁ ସୁରକ୍ଷା ଦେଇଥିଲେ ଏବଂ ପରେ ଲତେହରରୁ ଅନ୍ୟ ଏକ ହେଲିକପ୍ଟର ଦ୍ବାରା ସେମାନଙ୍କୁ ସୁରକ୍ଷିତ ଭାବେ ଚାତକପୁର ନିଆଯାଇଥିଲା।