ଭୁବନେଶ୍ବର: ରାଜ୍ୟବାସୀଙ୍କ ୪୬ ହଜାର କୋଟି ଟଙ୍କା ସାହାରା ଗ୍ରୁପ୍ର ସମବାୟ ସମିତି ପାଖରେ ବନ୍ଧା ପଡ଼ିଛି। ଯାହା ଆଜି ପର୍ଯ୍ୟନ୍ତ ଜମାକାରୀମାନେ ଫେରି ପାଇ ନାହାନ୍ତି। ଏ ସଂକ୍ରାନ୍ତ ରିପୋର୍ଟ କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କ ନିକଟରେ ଦାଖଲ କରାଯାଇଛି। ଜମାକାରୀଙ୍କ ନିକଟରେ ସେମାନଙ୍କ ଟଙ୍କା ଶୀଘ୍ର ପହଞ୍ଚାଇବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସମବାୟ ନିବନ୍ଧକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସାହାରା ସମେତ ଅନେକ ଅର୍ଥ ଲଗାଣକାରୀ ସଂସ୍ଥା ବିଭିନ୍ନ ସମବାୟ ସଂସ୍ଥାଗୁଡ଼ିକ ଜରିଆରେ ଲୋକଙ୍କ ଟଙ୍କା ହଡ଼ପ କରି ନେଉଛନ୍ତି। ଏହାକୁ ନେଇ ରାଜ୍ୟସ୍ତରୀୟ ସମନ୍ବୟ ସମିତି ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୃହ, ଅର୍ଥ, ସମବାୟ ଏବଂ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବୈଠକ ଅର୍ଥନୈତିକ ଅପରାଧ ଶାଖାର ଏସ୍ପିଙ୍କ ସହିତ ହୋଇଥିଲା।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଅର୍ଥ ଲଗାଣକାରୀ ସଂସ୍ଥା ସାହାରା ଗ୍ରୁପ୍ ପାଖରେ ଜମା ହୋଇଥିବା ଟଙ୍କା ଯଥାଶୀଘ୍ର ଜମାକାରୀଙ୍କୁ ଫେରସ୍ତ ପାଇଁ
କେନ୍ଦ୍ର ସମବାୟ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଥିଲା। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପ୍ରତ୍ୟେକ ରାଜ୍ୟରୁ ରିପୋର୍ଟ ଦାଖଲ ପାଇଁ କୁହାଯାଇଥିଲା। ରାଜ୍ୟ ପକ୍ଷରୁ ରିପୋର୍ଟ ଦାଖଲ ହୋଇଥିଲେ ମଧ୍ୟ ବରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ନୟାଗଡ଼ରେ ସ୍ଥିତ ସାହାରାର ସମବାୟ ସମିତି ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି। ଭୁବନେଶ୍ବର ସ୍ଥିତ ଅର୍ଥନୈତିକ ଅପରାଧ ଶାଖା ଏବଂ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ସମବାୟ ସମିତି ଏହାକୁ ନେଇ କାର୍ଯ୍ୟ କରିବେ। ଏହି ଅବସରରେ ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ଝାଡ଼ଖଣ୍ଡ ସ୍ଥିତ ଏହି ଅର୍ଥଲଗାଣକାରୀ ସଂସ୍ଥା ଓଡ଼ିଶା ଜମାକାରୀଙ୍କ ୪ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଘଟଣାରେ ଇଓଡବ୍ଲୁ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଛି।
ଆରବିଆଇର ଅଣପଞ୍ଜୀକୃତ ଏହି ସଂସ୍ଥା ବେଆଇନ ଭାବରେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ରହିଛି। ଏହି ସଂସ୍ଥାର କାରବାର ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ତାମିଲନାଡ଼ୁର ନିଧି କମ୍ପାନି କଟକରେ ନିଜର ଜାଲ ବିଛାଇଛି। ଏହି ସଂସ୍ଥା ଅନ୍ତର୍ଗତ ୨୧ରୁ ୧୮ଟି କମ୍ପାନି ବେଆଇନ ଭାବରେ ଚାଲୁଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା। ସମାନ ପଞ୍ଜୀକରଣ ନମ୍ବର ଥାଇ ଏକାଧିକ କମ୍ପାନି କାର୍ଯ୍ୟ କରୁଥିବା ନଜରକୁ ଆସିଛି। ଅନ୍ୟ ରାଜ୍ୟରେ ଏହି ସଂସ୍ଥାର ବେଆଇନ କାରବାର ଧରା ପଡ଼ି ଗିରଫ ହୋଇଥିଲେ ମଧ୍ୟ ସେମାନେ ଓଡ଼ିଶାରେ ସକ୍ରିୟ ଥିବା ଜଣାପଡ଼ୁଛି। ରାଜ୍ୟରେ ଲୋକଙ୍କ ମଧ୍ୟ ବିତ୍ତ କାରବାର ନେଇ ସଚେତନତା ସୃଷ୍ଟି ପାଇଁ ପଞ୍ଚାୟତ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ ପାଇଁ ବିତ୍ତ ବିଭାଗର ପ୍ରମୁଖ ଶାସନ ସଚିବ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Sahara-India-3.jpg)