ବେଙ୍ଗାଲୁରୁ: ରୁଷ୍ ଉଦ୍ଭାବନ କରିଥିବା ୪୬୪ଟି ଟି-୯୦ ‘ମେନ୍-ବ୍ୟାଟଲ୍ ଟ୍ୟାଙ୍କ୍ସ୍ (ଏମ୍ବିଟି) ଖରିଦ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରି ଦେବାର ଛଅ ମାସ ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏଥିପାଇଁ ଚେନ୍ନାଇର ଅଓ୍ଵାଦିସ୍ଥିତ ‘ହେଭି ଭେଇକ୍ଲ୍ ଫ୍ୟାକ୍ଟ୍ରି’କୁ ଟ. ୨୦, ୦୦୦/-କୋଟିର ବରାଦ ଦେଇଛି।
ସାମ୍ପ୍ରତିକ ସାମର୍ଥ୍ୟ ଅନୁସାରେ ସେ କାରଖାନା ବାର୍ଷିକ ୧୨୦ଟି କମାଣ ନିର୍ମାଣ କରିପାରିବ। ତେଣୁ ୪୬୪ଟି କମାଣ ପାଇଁ ପ୍ରାୟ ୪ ବର୍ଷ ସମୟ ଲାଗିବ।
ଏ ବର୍ଷ ଏପ୍ରିଲ୍ ମାସରେ ଖରିଦ ସଂକ୍ରାନ୍ତ ରାଜିନାମା ସମୟରେ କାରବାରର ମୂଲ୍ୟ ଥିଲା ଟ. ୧୩, ୦୦୦/- କୋଟିରୁ ସାମାନ୍ୟ ଅଧିକ। କିନ୍ତୁ, ଦିଆଯାଇଥିବା ବରାଦର ମୂଲ୍ୟ ୨୦, ୦୦୦/- କୋଟି ଟଙ୍କା ବୋଲି ‘ଅର୍ଡନାନ୍ସ୍ ଫ୍ୟାକ୍ଟ୍ରି ବୋର୍ଡ’ର ଏକାଧିକସୂତ୍ରରୁ ଜଣାପଡ଼ିଛି।

ଭାରତ-ପାକିସ୍ତାନ ସୀମାର ପଶ୍ଚିମ ସେକ୍ଟର୍ରେ ସଶସ୍ତ୍ର ସେନାଙ୍କ ନିମନ୍ତେ ଏହି ୪୬୪ଟି ଭୀଷ୍ମ କମାଣ ଆବଶ୍ୟକ। ସବୁତକ କମାଣ ମିଳିଗଲେ ଭାରତୀୟ ସେନାବାହିନୀ ପାଖରେ ସମୁଦାୟ ୧୫୦୦ ଏ ଭଳି କମାଣ ହୋଇଯିବ।
ଏ ଭଳି କମାଣରୁ ୩୦୦ ଖରିଦ କରିବା ପାଇଁ ପାକିସ୍ତାନ ରୁଷ୍ ସହ କଥାବାର୍ତ୍ତା ଚଳାଇଛି।
୧୯୬୧ ମସିହାରୁ ଅଓ୍ଵାଦି କାରଖାନା ଭାରୀ ଯୁଦ୍ଧାସ୍ତ୍ର ନିର୍ମାଣ କରି ଆସୁଛି। ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ସମେତ ଏହା ସେନାରେ ବ୍ୟବହୃତ ଟି-୭୨ ଏମ୍ବିଟି କମାଣ ଯୋଗାଇଛି।