୪୬,୯୦୦ ଭାରତୀୟ ପ୍ରତିବର୍ଷ ସାପକାମୁଡ଼ାରେ ମରୁଛନ୍ତି

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଦେଶରେ ସାପକାମୁଡ଼ାରେ କେତେ ଲୋକ ମରୁଛନ୍ତି ତା’ ଉପରେ ଏକ ଅଧ୍ୟୟନ କରିଛନ୍ତି। ଏହି ଅଧ୍ୟୟନ ଅନୁସାରେ ବିଷାକ୍ତ ସାପ କାମୁଡ଼ାରେ ଭାରତରେ ପ୍ରତିବର୍ଷ ହାରାହାରି ୪୬,୯୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ଆମେରିକା ଓ ଅଷ୍ଟ୍ରେଲିଆରେ ସାପକାମୁଡ଼ାରେ ବର୍ଷକୁ ମାତ୍ର ୧୦-୧୨ ଜଣ ଲୋକ ମରୁଥିବା ବେଳେ ଭାରତରେ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ଚିନ୍ତାଜନକ। ଅଷ୍ଟ୍ରେଲିଆରେ ପୁଣି ଲୋକସଂଖ୍ୟା କମ୍ ଥିବା ବେଳେ ସରୀସୃପଙ୍କ ସଂଖ୍ୟା ଅଧିକ।

ଏହି ଅଧ୍ୟୟନର ନେତୃତ୍ବ ନେଇଥିଲେ ଅମୃତା ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର, କୋଚିନର ମୁଖ୍ୟ ଡ. ଜୟଦୀପ ସି. ମେନନ ଏବଂ ହିମାଚଳପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ଡ. ଓମେଶ ଭାରତୀ। ଡ. ଭାରତୀଙ୍କ କହିବା ଅନୁସାରେ ଏହି ଅଧ୍ୟୟନରୁ ବାସ୍ତବ ତଥ୍ୟ ମିଳିପାରୁଛି। ସାପକାମୁଡ଼ା ଯୋଗୁ ଭାରତରେ ପ୍ରତିବର୍ଷ କେତେ ଲୋକ ମରୁଛନ୍ତି, କେତେ ଲୋକ ଗୁରୁତର ରୋଗର ଶିକାର ହେଉଛନ୍ତି ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ କ’ଣ ଏ ବିଷୟରେ ଜାଣିବା ଅଧ୍ୟୟନର ଉଦ୍ଦେଶ୍ୟ। ତେବେ ସାରା ବିଶ୍ବରେ ପ୍ରାୟ ଏକ ଲକ୍ଷ ଲୋକ ପ୍ରତିବର୍ଷ ସାପକାମୁଡ଼ାରେ ମରୁଥିବା ବେଳେ ଭାରତରେ ଏହି ସଂଖ୍ୟା ତା’ର ପ୍ରାୟ ଅଧା, ଯାହା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର