ବିହାର ବିଧାନସଭା ନିର୍ବାଚନ : ଅପରାହ୍ଣ ୫ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ୫ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଛି ।

୩ୟ ପର୍ଯ୍ୟାୟରେ ୭୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏସବୁ ବିଧାନସଭା ଆସନଗୁଡ଼ିକ ଉତ୍ତର-ବିହାରର ୧୯ଟି ଜିଲ୍ଲାରେ ଅବସ୍ଥିତ । ଏସବୁ ଆସନ ପାଇଁ ମୋଟ ୧୨୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଆଜିର ନିର୍ବାଚନରେ କେତେକ ସ୍ଥାନରେ ହିଂସାକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ନେତା ବିଟ୍ଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲାର ଦମଡାହା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଚାଲିଥିବାବେଳେ ତାଙ୍କୁ କେତେକ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ ।

ଅନ୍ୟପକ୍ଷରେ ବିହାରର ବେଗୁସରାଇ ପୋଲିଂ ବୁଥରେ ଭୋଟରମାନେ ଭୋଟଦାନକୁ ବର୍ଜନ କରିଛନ୍ତି । ଅଞ୍ଚଳରେ ବିକାଶ ନ ହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି  ସେମାନେ କହିଛନ୍ତି । ଭୋଟ ବର୍ଜନ କରିବା ସହ ଲୋକମାନେ ବିକ୍ଷୋଭ ମଧ୍ୟ କରିଥିବା ଜଣାଯାଇଛି ।

ତେବେ ବିହାରର ମୁଜାଫରପୁରରେ ଏକ ଭୋଟଦାନ କେନ୍ଦ୍ରକୁ ଆସିବା ଲାଗି ସ୍ଥାନୀୟ ଲୋକମାନେ ଏକ କାଠତିଆରି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । 

ସମ୍ବନ୍ଧିତ ଖବର