ନୂଆଦିଲ୍ଲୀ : ୨୦୨୧ ଶେଷ ସୁଦ୍ଧା ଦେଶରେ ୪୮୮ କଏଦୀ ଫାଶୀ ଅପେକ୍ଷାରେ ରହିଛନ୍ତି। ୧୭ ବର୍ଷରେ ଏହା ସର୍ବାଧିକ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ସିଆରବି ଦ୍ବାରା ଜାରି ହୋଇଥିବା ଭାରତର କାରାଗାର ପରିସଂଖ୍ୟାନ ଅନୁଯାୟୀ ୨୦୦୪ ପରେ ୨୦୨୧ ଶେଷ ସୁଦ୍ଧା ଦେଶରେ ସର୍ବାଧିକ ୪୮୮ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ୨୦୦୪ରେ ଏହି ସଂଖ୍ୟା ୫୬୩ ଥିଲା। ରିପୋର୍ଟ ଅନୁଯାୟୀ ଟ୍ରାଏଲ୍‌ କୋର୍ଟ ୨୦୨୧ରେ ୧୪୪ ମୃତ୍ୟୁ ଦଣ୍ଡାଦେଶ ଜାରି କରିଥିବା ବେଳେ ହାଇକୋର୍ଟ ୩୯ ମାମଲାରେ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ତେବେ ୨୦୨୦ରେ ହାଇକୋର୍ଟ ୩୧ ଟି ମାମଲା ଏବଂ ୨୦୧୯ରେ ୭୬ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଫାଶୀ ଦଣ୍ଡାଦେଶ ପାଇଥିବା ୪୮୮ କଏଦୀଙ୍କ ମଧ୍ୟରୁ ୮୪ ଜଣ କେବଳ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। କେତେକ ଦୋଷୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଥିବା ବେଳେ ଆଉ କେତେକ ଅଦାଲତରେ ଦଣ୍ଡରୁ ବର୍ତ୍ତିବା ପାଇଁ ଆବେଦନ କରିଛନ୍ତି। ଉତ୍ତରପ୍ରଦେଶରେ ଏବେ ଫାଶୀ ଅପେକ୍ଷାରେ ଥିବା କଏଦୀଙ୍କ ମଧ୍ୟରୁ ୬୨ ଜଣ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ବେଳେ ୪୪ ଜଣ ଯୌନ ଉତ୍ପୀଡ଼ନ ଏବଂ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଛନ୍ତି। ଏହା ସହିତ ୪ଟି ମାମଲା ଆତଙ୍କବାଦ ସହିତ ସଂପୃକ୍ତ ବୋଲି ଜଣାପଡ଼ିଛି।