ମଙ୍ଗଫ୍‌ (କୁଏତ୍‌): ଗତକାଲି ସକାଳେ କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ରହିଛନ୍ତି। ଯେଉଁ ଭାରତୀୟମାନଙ୍କର ମୃତ୍ୟୁ ଘଟିଛି ସେମାନେ ବିଶେଷ କରି ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ।

Advertisment

ଏହି ଘଟଣା ଘଟିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୈଶଙ୍କର ତାଙ୍କର କୁଏତ ପ୍ରତିପକ୍ଷ ଅଲ୍ଳୀ ଅଲ୍‌-ୟେହୟାଙ୍କ ସହ ଏନେଇ କଥା ହୋଇଛନ୍ତି। କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଅଟାଳିକାରେ ଅଗ୍ନିକାଣ୍ଡ ଘଟିିବା ସହ କ୍ରମଶ ଏହା ବ୍ୟାପିଥିଲା । ଏକ କମ୍ପାନି ପାଇଁ କାମ କରୁଥିବା ପ୍ରାୟ ୧୬୦ ଶ୍ରମିକ ଏଠାରେ ରହୁଥିଲେ।

ସ୍ଥାନୀୟ ଗଣମାଧ୍ୟମର ସୂଚନାନୁସାରେ, ଆଜି ଭୋର ସାଢ଼େ ୪ଟା ବେଳେ କୋଠାରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏବଂ ସେମାନେ କେରଳ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକ। କୋଠାଘରର ଏକ ରନ୍ଧାଘରେ ପ୍ରଥମେ ନିଆଁ ଲାଗିବା ପରେ ସମଗ୍ର କୋଠାକୁ ବ୍ୟାପିଥିଲା। ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଥିଲେ। ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି।