୪୯ ଏନ୍ଡିଆର୍ଏଫ୍ ଯବାନ ଆକ୍ରାନ୍ତକୁ ନେଇ କେନ୍ଦ୍ରର ଚିନ୍ତା
ନୂଆଦିଲ୍ଲୀ : କରୋନା ଯୋଦ୍ଧା ଭୂମିକାରେ ଆଗ ଧାଡ଼ିରେ ରହି କାର୍ଯ୍ୟ କରୁଥିବା ଏନ୍ଡିଆରଏଫ୍ ଓ ଅର୍ଦ୍ଧସାମରିକବାହିନୀର ଯବାନମାନେ କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି। ନିକଟରେ ‘ଅମ୍ଫାନ’ ବାତ୍ୟା ପୀଡିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା କଟକ ମୁଣ୍ଡଳୀସ୍ଥିତ ଏନ୍ଡିଆରଏଫ୍ର ତୃତୀୟ ବାଟାଲିୟନର ୪୯ ଜଣ ଯବାନ କରୋନା ସଂକ୍ରମିତ ହେବା କେନ୍ଦ୍ର ସରକାରଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଗତ ସପ୍ତାହରେ ବାତ୍ୟା ‘ନିସର୍ଗ’ର ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ୨୭ଟି ଏନ୍ଡିଆରଏଫ୍ ଟିମ୍ର ଯବାନମାନଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଅପରପକ୍ଷେ କରୋନା ସଂକ୍ରମିତ ହେବା ତାଲିକାରେ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି। ଜରୁରୀ ସେବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଉଥିବା ଯବାନମାନେ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଏସ୍ଓପିର ପାଳନ ସତ୍ତ୍ବେ ସେମାନେ କରୋନା ସଂକ୍ରମିତ ହେଉଛନ୍ତି। ତଥ୍ୟ ଅନୁସାରେ ସିଆରପିଏଫ୍, ବିଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି ଭଳି ଅର୍ଦ୍ଧସାମରିକବାହିନୀର ଯବାନମାନେ କରୋନା ସଂକ୍ରମିତ ହୋଇଛନ୍ତି। ଅନେକ ଯବାନ ଆରୋଗ୍ୟ ଲାଭ କରିଥିବା ବେଳେ ବିଏସ୍ଏଫ୍ ଓ ସିଆଇଏଫ୍ର ୧୧ ଜଣ ଯବାନ କରୋନାରେ ପ୍ରାଣ ହରାଇଛନ୍ତି। ଏବେ ବି ଅର୍ଦ୍ଧସାମରିକବାହିନୀର ୧୫୦୦ ଯବାନ କରୋନା ସଂକ୍ରମଣ ଯୋଗୁଁ ଚିକିତ୍ସାଧୀନ ଅଛନ୍ତି। ଏହାସତ୍ତ୍ବେ କରୋନା ଯୁଦ୍ଧର ମୁକାବିଲାରେ ଏନ୍ଡିଆରଏଫ୍ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ବିପରୀତ ପରିସ୍ଥିତି ସତ୍ତ୍ବେ ନିଜର ଦାୟିତ୍ବ ତୁଲାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି।