ଜୁଲାଇ ୨୮ରେ ଚତୁର୍ଥ ବିଶ୍ୱ ଓଡ଼ିଆ ସମ୍ମିଳନୀ

ନୂଆଦିଲ୍ଲୀ : ଜୁଲାଇ ୨୮ ଓ ୨୯ ତାରିଖରେ ଦିଲ୍ଲୀର ଆନ୍ତର୍ଜାତିକ ଆମ୍ବେଦକର ଫାଉଣ୍ଡେସନ ପ୍ରେକ୍ଷାଳୟରେ ଚତୁର୍ଥ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ପ୍ରେସ କ୍ଲବଠାରେ ଚତୁର୍ଥ ବିଶ୍ୱ ଓଡ଼ିଆ ସମ୍ମିଳନୀ ପାଇଁ ଆୟୋଜିତ ଦ୍ୱିତୀୟ ପ୍ରସ୍ତୁତି ବୈଠକରେ ସମ୍ମିଳନୀ ସଭାପତି ମୂରଲୀ ମନୋହର ଶର୍ମା ଏହି ସୂଚନା ଦେଇଛନ୍ତି। ସାରା ବିଶ୍ୱରେ ଥିବା ପ୍ରାୟ ୭କୋଟି ଓଡ଼ିଆଙ୍କୁ ଏକତ୍ରିତ କରି ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ସ୍ୱପ୍ନକୁ ସାକାର କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଥିଲେ। ଉତ୍କଳ ସମ୍ମିଳନୀର ମୁଖ୍ୟ ପୁରୋଧା ଓ ନବ ଓଡ଼ିଶାର ନିର୍ମାତା ମଧୁସୂଦନ ଦାସ ଓ ବିଶ୍ୱ ଓଡ଼ିଆ ସମ୍ମିଳନୀର ପ୍ରତିଷ୍ଠାତା ସ୍ୱର୍ଗତ ରାଜକିଶୋର ରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜଧାନୀ ଦିଲ୍ଲୀରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଅଭ୍ୟର୍ଥନା କମିଟି ଓ ଆୟୋଜକ କମିଟି ଗଠନ କରାଯାଇଛି। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ରବିନ୍ଦ୍ର ନାଥ ପ୍ରଧାନ, ସହ ଅଧ୍ୟକ୍ଷ ଭାବେ ସଂଗ୍ରାମ ଧର ଏବଂ ଉପାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ସାମଲ ଏବଂ ରୀତା ପାତ୍ରଙ୍କୁ ଚୟନ କରାଯାଇଛି। ସେହିପରି ଆୟୋଜକ କମିଟିର ଅଧ୍ୟକ୍ଷ ଭାବେ କ୍ଷୀରୋଦ କୁମାର ଜେନା, ସହ ଅଧ୍ୟକ୍ଷ ଭାବେ ଅମରେନ୍ଦ୍ର ଖଟୁଆ ଓ ଉପାଧ୍ୟକ୍ଷ ଭାବେ ଗୋବର୍ଦ୍ଧନ ଧଳ ଓ ଶ୍ରାବଣୀ ସ୍ୱାଇଁଙ୍କୁ ଚୟନ କରାଯାଇଛି। ପ୍ରଣବ ପାଣିଙ୍କୁ ମୁଖ୍ୟ ମୁଖପାତ୍ର ଭାବେ, ସହ ମୁଖପାତ୍ର ଭାବେ ସଞ୍ଜୀବ କୁମାର ମହାନ୍ତି ଓ ଉପ ମୁଖପାତ୍ର ଭାବେ ସଂଞ୍ଜୀବ ପଟ୍ଟନାୟକ ଓ ସଶ୍ମିତା ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ପ୍ରାନ୍ତଶ୍ରୀ ଜେନାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୋଜିକା ଭାବେ ମନୋନୀତ କରାଯାଇଛି। ଏହି ବୈଠକରେ ସମ୍ମିଳନୀର ଜାତୀୟ ଓ ଅନ୍ତର୍ଜାତୀୟ ଆବାହକ କିଶୋର ଦ୍ୱିବେଦୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର