ଚତୁର୍ଥ କରୋନା ମୃତ୍ୟୁ: ୧୭୫ ଆକ୍ରାନ୍ତ, ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ

୫୦ ସହରରୁ ୮୫୦ ଜଣଙ୍କ ନମୁନା ସଂଗ୍ରହ, ଇରାନ୍‌ରେ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ପଂଜାବର ନବାଂଶହର ଜିଲ୍ଲା ହସ୍ପିଟାଲରେ ଆଜି ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପୃଥକ ବ୍ୟବସ୍ଥାରେ ଚିକିତ୍ସା କରାଯାଉଛି। କିଛିଦିନ ତଳେ ସେ ଇଟାଲି ଏବଂ ଜର୍ମାନୀ ଯାତ୍ରାରୁ ଫେରିଥିଲେ। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ କରୋନାରେ ମୋଟ ୧୭୫ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସମସ୍ତଙ୍କର ବୟସ ୬୦ରୁ ଅଧିକ ରହିଛି। ସେମାନଙ୍କ ମଧ୍ୟରେ ୧୭ ଜଣ ଇଟାଲିର ନାଗରିକ ଅଛନ୍ତି। ଭାରତରେ ଭାଇରସ୍‌ ଯୋଗୁଁ ପ୍ରଥମ ମୃତ୍ୟୁ କର୍ଣ୍ଣାଟକରେ ହୋଇଥିବା ବେଳେ ଦ୍ବିତୀୟ ମୃତ୍ୟୁ ଦିଲ୍ଲୀରେ, ତୃତୀୟ ମୃତ୍ୟୁ ମହାରାଷ୍ଟ୍ରରେ ଏବଂ ଚତୁର୍ଥ ମୃତ୍ୟୁ ପଂଜାବରେ ହୋଇଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଏବେ ଷ୍ଟେଜ୍‌-୨ ତଥା ସ୍ଥାନୀୟ ସ୍ତରରେ ରହିଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବା ପୂର୍ବରୁ କଠୋର କଟକଣା ଲାଗୁ କରିବାକୁ ବିଭିନ୍ନ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଦେଶର ୫୦ ସହରରୁ ୮୫୦ ଜଣଙ୍କ ନମୁନା ସଂଗ୍ରହ କରି ଏବେ ପରୀକ୍ଷା କରାଯାଉଛି । ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତୀୟ ରେଳବାଇ କରୋନା ଭାଇରସ୍ ଯୋଗୁଁ ଯାତ୍ରୀମାନଙ୍କ କମ୍‌ ସଂଖ୍ୟାକୁ ଦେଖି ଆଜିଠାରୁ ୮୪ଟି ଟ୍ରେନ୍‌ ରଦ୍ଦ କରିଛନ୍ତି। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଟ୍ରେନ୍‌ଗୁଡ଼ିକର ଚଳଚଳ ବନ୍ଦ ରହିଛି। ଏହା ସହିତ ଦେଶରେ ମୋଟ ୧୫୫ଟି ଟ୍ରେନ୍‌ ବାତିଲ ହୋଇଛି। ବୁଧବାର ଦିନ ପ୍ରାୟ ୯୯ଟି ଟ୍ରେନ୍‌ ବାତିଲ କରାଯାଇଥିଲା। ଇରାନ୍‌ରେ ୨୫୫ ଜଣ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର